ଚାରି ବର୍ଷ ପରେ ଲଣ୍ଡନରୁ ପାକିସ୍ତାନ ଆସିଲେ ନୱାଜ ଶରିଫ, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୧/୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଦୀର୍ଘ ଚାରି ବର୍ଷ ପରେ ଲଣ୍ଡନରୁ ସ୍ୱଦେଶ ଫେରିଛନ୍ତି। ଶନିବାର ଅପରାହ୍ନରେ ନୱାଜ ପାକିସ୍ତାନରେ ପହଞ୍ଚିବା ପରେ ଦଳୀୟ ନେତାମାନେ ଜୋରଦାର ସ୍ୱାଗତ ସହିତ ତାଙ୍କୁ ପାଛୋଟି ନେଇଥିଲେ।

ନୱାଜ ବିମାନ ବନ୍ଦରରୁ ସିଧାସଳଖ ଲାହୋର ଯାଇ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ନୱାଜ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଚିନ୍ତା ଜାହିର କରିଥିଲେ। ୨୦୧୭ ତୁଳନାରେ ବର୍ତ୍ତମାନ ବହୁଗୁଣରେ ଖରାପ ରହିଛି ବୋଲି ମଧ୍ୟ ସେ କହିଥିଲେ।

ନୱାଜଙ୍କ ଗୃହ ପ୍ରତ୍ୟାବର୍ତ୍ତନ ପରେ ସାନ ଭାଇ ତଥା ପ୍ରଧାନମନ୍ତ୍ରୀ ଶାହବଜ ଶରିଫ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ(ଟୁଇଟର) ରେ ଲେଖିଥିଲେ ” ମୋର ନେତା ନୱାଜ ଶରିଫ ଆଜି ଆପଣଙ୍କ ନିକଟକୁ ଆସିବେ, ସେ ପାକିସ୍ତାନକୁ ଏକଜୁଟ କରିବା ପାଇଁ ଘରକୁ ଫେରିଛନ୍ତି, ଏହାକୁ ଆଉ ବିଭାଜିତ ହେବାକୁ ସେ ଦେବେ ନାହିଁ। ସେ ନିଜର ଲୋକମାନଙ୍କ ମଧ୍ୟରେ ଘୃଣା ନୁହେଁ ଭଲପାଇବା ବାଣ୍ଟିବାକୁ ଆସିଛନ୍ତି। ସେ ଆପଣଙ୍କୁ ଏକ ଭଲ ନାଗରିକ ହେବାରେ ସାହାଯ୍ୟ କରିବାକୁ ଆସିଛନ୍ତି, କୌଣସି ପାର୍ଟି କିମ୍ବା ଗୋଷ୍ଠୀ ପାଇଁ ନୁହେଁ।”

 

Share