Categories: ଜାତୀୟ

ପୂର୍ବତନ ‘ର’ ଏଜେଣ୍ଟଙ୍କୁ ଖାଇବାକୁ ମିଳୁନି ଦୁଇମୁଠା !

ଲକ୍ଷ୍ନୌ,୧୪।୨: ଫିଲ୍ମରେ ଗୁପ୍ତଚର ସଂସ୍ଥା ସହିତ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିବାର ଦେଖିବାକୁ ମିଳିଥାଏ। ହଲିଉଡ୍‌ର ଜେମ୍ସ୍‌ ବଣ୍ଡ୍‌ ଫିଲ୍ମରେ ଏଜେଣ୍ଟ୍‌ମାନଙ୍କ ଜୀବନ ଶୈଳୀ ବେଶ୍‌ ରୋଚକ ମନେ ହୋଇଥାଏ। ସେହିପରି ବଲିଉଡ୍‌ରେ ଏକ ଥା ଟାଇଗର୍‌ ଏବଂ ଟାଇଗର୍‌ ଜିନ୍ଦା ହୈ ଫିଲ୍ମରେ ‘ର’ ଏଜେଣ୍ଟଙ୍କ ପାଖରେ ସବୁ ସୁବିଧା ଦେଖିବାକୁ ମିଳୁଛି। ମାତ୍ର ରିୟଲ ଲାଇଫ୍‌ ଏବଂ ରିଲ୍‌ ଲାଇଫ୍‌ ମଧ୍ୟରେ ଅନେକ ଫରକ ରହିଥାଏ। ଏହା ପୂର୍ବତନ ‘ର’ ଏଜେଣ୍ଟ୍‌ ମନୋଜ ରଞ୍ଜନ ଦୀକ୍ଷୀତ୍‌ଙ୍କୁ ଦେଖିଲେ ସହଜରେ ଅନୁମାନ କରିହେବ। ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ ସହିତ କାମ କରୁଥିବା ମନୋଜ ୧୯୯୨ରେ ଧରାପଡ଼ିଥିବା ନେଇ ଦାବି କରନ୍ତି। ଏହାପରେ ୨୦୦୫ରେ ତାଙ୍କୁ ଓ୍ବାଘା ବର୍ଡରରେ ଛାଡ଼ି ଦିଆଯାଇଥିଲା। ସେ ନଜିବାବାଦର ବାସସ୍ଥାନକୁ ଫେରି ୨୦୦୭ରେ ବିବାହ କରିଥିଲେ। ତେବେ ୨୦୧୩ରେ ସ୍ତ୍ରୀଙ୍କର କର୍କଟରେ ମୃତ୍ୟୁ ଘଟିଥିଲା। ସେ ଦୁଇମୁଠା ଖାଇବା ପାଇଁ ଗୋମତୀନଗରରେ ଷ୍ଟୋର କିପର ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ରେ ସେ ଚାକିରି ହରାଇ ବସିଲେ। ସ୍ଥାନୀୟ ଡିଏମ୍‌ କାର୍ଯ୍ୟାଳୟରେ ମନୋଜ ରହିବା ଲାଗି ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ୧୯୮୫ରେ ସେ ନଜିମାବାଦ୍‌ରୁ ‘ର’ ରେ ଯୋଗଦେଇ ଥିବାବେଳେ ୨ ଥର ସେନା ପ୍ରଶିକ୍ଷଣ ପରେ ତାଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଦାବି କରନ୍ତି। ଏବେ ସେ ଆର୍ଥିକ ସମସ୍ୟା ମଧ୍ୟରେ ରହିଥିବା କହିଛନ୍ତି।

Share