ଠକେଇ ଅଭିଯୋଗରେ ପୂର୍ବତନ ସରପଞ୍ଚ ଗିରଫ

କେନ୍ଦୁଝର,୮।୧୨ (ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଡିମ୍ବୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଖିଳ ଚନ୍ଦ୍ର ନାୟକଙ୍କୁ ଟାଉନ୍‌ ପୋଲିସ ଗୁରୁବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଡିମ୍ବୋ ପଞ୍ଚାୟତ ବାଇଗଣପଶି ଗ୍ରାମର ଜଣେ ବୃଦ୍ଧା ମିଞ୍ଜାରୀ ମୁଣ୍ଡାଙ୍କ ୟୁନିୟନ ବ୍ୟାଙ୍କ୍‌ ଆକାଉଣ୍ଟ ସହ ଆଧାର ଲିଙ୍କ୍‌ କରିଦେବା ପାଇଁ କହି କାଗଜରେ ଅଖିଳ ନାୟକ ୩ଟା ଫର୍ମରେ ଟିପ ଚିହ୍ନ ନେଇ ଯାଇଥିଲେ। ଟିପ ଚିହ୍ନ ନେବାର କିଛି ଦିନ ପରେ ପାସ୍‌ ବୁକ୍‌ ଅପଡେଟ ପାଇଁ ତାଙ୍କ ପୁତୁରା ଘନଶ୍ୟାମ ମୁଣ୍ଡାଙ୍କୁ ବ୍ୟାଙ୍କ୍‌କୁ ଡକାଯାଇ ବେଳେ ଗତ ନଭେମ୍ବର ୧୭ ତାରିଖରେ ଦୁଇ ଥରରେ ୪୦ ହଜାର ଟଙ୍କା ଉଠାଯାଇଥିବା ଜଣାପଡିଥିଲା ା ଏହା ଜାଣିବା ପରେ ଘନଶ୍ୟାମ ଟଙ୍କା ବିଷୟରେ ଅଖିଳକୁ ପଚାରିବାରୁ ପ୍ରଥମେ ଜାଣି ନ ଥିବା କହିଥିଲେ। ପରେ ୨୦ ହଜାର ଟଙ୍କା ଉଠାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ା ମିଞ୍ଜାରୀ ମୁଣ୍ଡା ତାଙ୍କ ଅଗଚୋରରେ ଉକ୍ତ ଅର୍ଥ ଅଖିଳ ନାୟକ ନେଇଥିବା ଜାଣିପାରିଥିଲେ। ତେବେ ଅଖିଳ ନାଏକ ତାଙ୍କ ଅର୍ଥ ନ ଫେରାଇବାରୁ ବାଧ୍ୟ ହୋଇ ଟାଉନ ଥାନାରେ ବୁଧବାର ଅଭିଯୋଗ କରିଥିଲେ। ତଦନ୍ତକାରୀ ଅଧିକାରୀ ଗୌରାଙ୍ଗ ବେହେରା ଅଭିଯୋଗର ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ କେସ ନଂ ୫୦୩/୨୦୨୨ ଦଫା ୪୨୦ରେ କେସ ରୁଜୁ କରି ଅଖିଳ ନାଏକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଖିଳ ନାଏକର ଜାମିନ ଖାରଜ ହେବାରୁ ତାଙ୍କୁ ହାଜତକୁ ପଠାଇ ଦିଆଯାଇଛି।