ପୂର୍ବତନ ସରପଞ୍ଚଙ୍କ ଦେଢ଼ଶୁରଙ୍କୁ ଛୁରି ଭୁସି ହତ୍ୟା

ପୁରୁଷୋତ୍ତମପୁର,୩୦ା୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଶିକୁଳା ଗ୍ରାମ ପୁଣି ଅଶାନ୍ତ ହୋଇପଡ଼ିଛି। ଦୀର୍ଘ ଦୁଇବର୍ଷ ହେଲା ପଞ୍ଚାୟତ ନିର୍ବାଚନ ପରଠାରୁ ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହି ବିଭିନ୍ନ ସମୟରେ ବାଦ ବିବାଦ ପରିସ୍ଥିତି ଉପୁଜି ଗ୍ରାମରେ ଅଶାନ୍ତି ଲାଗିରହିଛି। ଗତବର୍ଷ ଠିକ୍‌ ଏହି ମାର୍ଚ୍ଚ ୨୬ରେ ଗୁଳିକାଣ୍ଡ ଘଟିବା ସହ ଖଣ୍ଡାରେ ହାଣି ଜଣଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ବେଳେ ପୁଣି ବର୍ତ୍ତମାନ ପୂର୍ବତନ ସରପଞ୍ଚଙ୍କ ଦେଢ଼ଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ନିର୍ମମ ଭାବେ ଛୁରିରେ ଭୁସି ହତ୍ୟା କରାଯାଇଛି। ମୃତ କାହ୍ନୁଙ୍କ ଭାଇ ଛଇଲ ପୋଲିସରେ ଅଭିଯୋଗ କରିଛନ୍ତି ଯେ, ସେ ଗ୍ରାମରେ ରାତିରେ ହେଉଥିବା ଦଣ୍ଡଯାତ୍ରା ଦେଖି ଭୋର୍‌ ସମୟରେ ପୋଖରୀରୁ ଶୌଚ ହୋଇ ଫେରିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ସେହି ଗ୍ରାମର ସନାତନ ପ୍ରଧାନ ତାଙ୍କ ସହଯୋଗୀମାନେ ମୁଖାବାନ୍ଧି ଆସି ତାଙ୍କୁ ଗାଳିଗୁଲଜ କରି ଧମକ ଦେଇ ମୁଣ୍ଡରେ ପିସ୍ତଲ ଲଗାଇବା ସହ ମାଡ଼ ମାରିଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ତାଙ୍କ ଭାଇ କାହ୍ନୁଙ୍କୁ ମଧ୍ୟ ଛୁରାରେ ମଧ୍ୟ ମରଣାତ୍ମକ ଭାବରେ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ କାହ୍ନୁଙ୍କୁ ପ୍ରଥମେ କୋଦଳା ମେଡିକାଲ ଓ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିସା ନିମନ୍ତେ ନିଆଯାଇଥିଲା। ମାତ୍ର ସେଠାରେ ଚିକିସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ କେସ୍‌ ନଂ ୨୩୪/୨୪ରେ ପୁରୁଷୋତ୍ତମପୁର ପୋଲିସ ବ୍ରହ୍ମପୁର ବଡ଼ମେଡିକାଲକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଲାଇଛି। ଘଟଣାର ସଠିକ୍‌ କାରଣ ଜଣା ପଡ଼ି ନ ଥିବା ବେଳେ ପୂର୍ବଶତ୍ରୁତା ସହ କମେଣ୍ଟ ମରା, ମଦ କାରବାର ଓ ଜୁଆଖେଳକୁ ନେଇ ଦୀର୍ଘଦିନ ହେଲା ଲାଗି ରହିଥିବା ଅଶାନ୍ତିରୁ ନେଇ ଏଭଳି ଘଟିଥିବାର ଗ୍ରାମରେ ଆଲୋଚନା ହେବାରେ ଲାଗିଛି। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ବର୍ତ୍ତମାନ ନିର୍ବାଚନ ସମୟ ଓ ଦଣ୍ଡଯାତ୍ରା ଚାଲିଥିବାରୁ କେତେବେଳେ କ’ଣ ପରିସ୍ଥିତି ଘଟିବ କହିବା କଷ୍ଟକର ହୋଇପଡ଼ିଛି।