Categories: ଜାତୀୟ

ଦେଶର ସବୁଠାରୁ ଦାମୀ ଓକିଲଙ୍କ ମଧ୍ୟରୁ ଜଣେ ହରିଶ ସାଲଭେ ୬୮ ବର୍ଷ ବୟସରେ କଲେ ବିବାହ

ନୂଆଦିଲ୍ଲୀ,୪।୯: ଦେଶର ଅନ୍ୟତମ ଦାମୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ପାଇଁ ଘୋଡା ଚଢିଛନ୍ତି। ସେ ରବିବାର ଲଣ୍ଡନରେ ୬୮ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ସୂଚନାଯୋଗ୍ୟ, ସେ ୨୦୨୦ରେ ଦ୍ୱିତୀୟ ଥର ବିବାହ କରିଥିଲେ।

କେନ୍ଦ୍ର ସରକାରଙ୍କ ନୂତନ ଭାବେ ଗଠିତ ଓ୍ବାନ ନେଶନ-ଓ୍ବାନ ଇଲେକଶନ କମିଟିର ସଦସ୍ୟ ଅଛନ୍ତି ସାଲଭେ। ସେ ଏଥର ଟ୍ରିନାଙ୍କୁ ନିଜର ଜୀବନସାଥି ଭାବେ ବାଛି ନେଇଛନ୍ତି। ଟ୍ରିନା ହେଉଛନ୍ତି ବ୍ରିଟିଶ ମୂଳ ବାସିନ୍ଦା। ଏହି ବିବାହରେ ନୀତା ଅମ୍ବାନୀ, ଲଲିତ ମୋଦି ଏବଂ ଉଜ୍ୱଳା ରାଉତଙ୍କ ସମେତ ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତ ଥିଲେ।
୨୦୨୦ରେ ହରିଶ ସାଲଭେ ତାଙ୍କର ପ୍ରଥମ ପତ୍ନୀ ମୀନାକ୍ଷୀଙ୍କଠାରୁ ଅଲଗା ହୋଇଥିଲେ। ସେମାନଙ୍କର ଦୁଇଟି ଝିଅ ଅଛନ୍ତି- ସାକ୍ସି ଏବଂ ସାନିଆ। ସେ ୩୮ ବର୍ଷୀୟ ମୀନାକ୍ଷୀଙ୍କଠାରୁ ଅଲଗା ହେବାର କିଛି ମାସ ପରେ ଦ୍ୱିତୀୟ ଥର ପାଇଁ କାରୋଲିନଙ୍କୁ ବିବାହ କରିଥିଲେ। ଏହା ମଧ୍ୟ କାରୋଲିନଙ୍କର ଦ୍ୱିତୀୟ ବିବାହ ଥିଲା। ବର୍ତ୍ତମାନ ତିନି ବର୍ଷରୁ କମ ସମୟ ମଧ୍ୟରେ ହରିଶ ସାଲଭେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ତାଙ୍କର ତୃତୀୟ ପତ୍ନୀଙ୍କ ନାମ ଟ୍ରିନା।
କାରୋଲିନଙ୍କ ସହ ବିବାହ ସମୟରେ ହରିଶ ସାଲଭେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିବା ଜଣାଯାଇଛି। ତେଣୁ, ଲଣ୍ଡନର ଏକ ଚର୍ଚ୍ଚରେ ପରିବାରର କେବଳ ୧୫ ଜଣ ସଦସ୍ୟ ଏହି ଅନ୍ତରଙ୍ଗ ବିବାହରେ ଯୋଗ ଦେଇଥିଲେ।
ସୂଚନା ଅନୁସାରେ, କାରୋଲିନାଙ୍କୁ ବିବାହ କରିବା ପୂର୍ବରୁ ହରିଶ ସାଲଭେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ଏହି ପରିବର୍ତ୍ତନ ସେମାନଙ୍କର ବିବାହର ଦୁଇ ବର୍ଷ ପୂର୍ବରୁ ହୋଇଥିଲା।

Share