Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଡୁପ୍ଲେସି

ଆବୁଧାବି,୬ା୧୨: ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ଆଉ ଥରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ। ଆସନ୍ତା ଟି୨୦ ବିଶ୍ୱକପ୍‌ ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ଆଫ୍ରିକାର କୋଚ୍‌ ରବ ଓ୍ବାଲଟର। ଅନ୍ତର୍ଜାତୀୟ କ୍ରିକେଟରୁ ଆନୁଷ୍ଠାନିକ ଭାବେ ଅବସର ନେଇ ନ ଥିଲେ ମଧ୍ୟ ୩ ବର୍ଷ ହେବ ସେ ଦକ୍ଷିଣ ଆଫ୍ରିକା ପାଇଁ ଖେଳିନାହାନ୍ତି।

୨୦୨୦ରେ ଶେଷ ଥର ଦକ୍ଷିଣ ଆଫ୍ରିକା ପାଇଁ ଏକ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ବର୍ତ୍ତମାନ ଆବୁଧାବିରେ ଟି୧୦ ଲିଗ୍‌ ଖେଳୁଥିବା ୩୯ ବର୍ଷୀୟ ଡୁପ୍ଲେସି ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ସପକ୍ଷରେ ଥିବା କହିଛନ୍ତି। ସେ ଶେଷ ଥର ପାଇଁ ୨୦୧୬ ଟି୨୦ ବିଶ୍ୱକପ ଖେଳିଥିଲେ। ଏହା ପରଠାରୁ ତାଙ୍କୁ ଟି୨୦ ଦଳରେ ସ୍ଥାନ ମିଳିନାହିଁ।

ସୋମବାର ଦକ୍ଷିଣ ଆଫ୍ରିକା କୋଚ୍‌ ଓ୍ବାଲ୍‌ଟର କହିଥିଲେ, ଡୁପ୍ଲେସି, କ୍ୱିଣ୍ଟନ ଡି କକ୍‌ ଓ ରାଇଲି ରୋଷୋଙ୍କ ପରି ଖେଳାଳିଙ୍କ ନାମ ଟି୨୦ ଦଳ ଚୟନ ପାଇଁ ବିଚାରକୁ ନିଆଯିବ। ୨୦୨୪ ଜୁନ୍‌ରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍‌ ଖେଳାଯିବ। ଉଲ୍ଲେଖଯୋଗ୍ୟ ଯେ, ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ସେ ୧୪ ମ୍ୟାଚ୍‌ରୁ ୭୩୦ ରନ୍‌ ସ୍କୋର କରିଥିଲେ।

Share