Categories: ଜାତୀୟ

ଦଳୀୟ ଟିକେଟ୍‌ ପାଇଁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କଲେ ଏମ୍‌ପି

ଲକ୍ଷ୍ନୌ,୧୧।୧: ସମାଜବାଦୀ ପାର୍ଟି (ସପା) ନେତା ଫିରୋଜ ଅହମ୍ମଦଙ୍କ ହତ୍ୟା ମାମଲାରେ ଏମ୍‌ପି ରିଜଓ୍ବାନ ଜାହୀରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ବଲରାମପୁର ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଏମ୍‌ପିଙ୍କ ଝିଅ, ଜ୍ୱାଇଁ ଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଗତ ବର୍ଷ ଅକ୍ଟୋବରରେ ସପାରେ ଯୋଗ ଦେଇଥିଲେ ଫିରୋଜ ଅହମ୍ମଦ। ଜାନୁୟାରୀ ୪ ତାରିଖ ରାତିରେ ତୁଳସୀପୁରସ୍ଥିତ ଘରକୁ ଫେରୁଥିବା ବେଳେ ଏକ ଗୋଷ୍ଠୀ ତାଙ୍କ ଉପରେ ଆକ୍ରମଣ କରିଥିଲା। ଆକ୍ରମଣକାରୀ ୫୦ ବର୍ଷୀୟ ନେତାଙ୍କ ବେକ କାଟି ହତ୍ୟା କରିଥିଲେ।

“ତୁଳସୀପୁର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଫିରୋଜ ପ୍ରସ୍ତୁତ ହେଉଥିଲେ। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏମ୍‌ପି ରିଜଓ୍ବାନ ଜାହୀର (୫୫) ସମାନ ଆସନରୁ ୩୩ ବର୍ଷୀୟା ତାଙ୍କ ଝିଅକୁ ଟିକେଟ୍‌ ଦେବାକୁ ଚାହୁଁଥିଲେ। ଏଥିଯୋଗୁ ଦୁହିଁଙ୍କ ମଧ୍ୟରେ ଶତୃତା ସୃଷ୍ଟି ହୋଇଥିଲା। ସେହି ଅଞ୍ଚଳରେ ଫିରୋଜଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ତାଙ୍କୁ ବାଟରୁ ହଟାଇବାକୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ ରିଜଓ୍ବାନ” ବୋଲି ସର୍କଲ ଅଫିସର (ତୁଳସୀପୁର) କୁନଓ୍ବାର ପ୍ରଭାତ ସିଂ କହିଛନ୍ତି।

ଦୁଇ ଥର ଏମ୍‌ପି ଓ ୩ ଥର ବିଧାୟକ ରିଜଓ୍ବାନଙ୍କ ବ୍ୟତୀତ ଝିଅ ଜେବା, ଜ୍ୱାଇଁ ରମୀଜ ଓ ସେମାନଙ୍କ ସହାୟକ ଶକୀଲ, ମେରାଜୁଲ ହକ୍‌ ଆଲିଆଜ ମାମା ଓ ମେହଫୁଜଙ୍କୁ ଗିରଫ କରାଯାଇଛି। ମେରାଜୁଲ ହକ୍‌ ଓ ମେହଫୁଜ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ।

Share