କଂଗ୍ରେସକୁ ବଡ଼ ଝଟ୍‌କା: ୪୬ ବର୍ଷ ପରେ ଦଳର ହାତ ଛାଡ଼ିଲେ ଅଶ୍ୱିନୀ କୁମାର

ଚଣ୍ଡିଗଡ଼,୧୫।୨: ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶ୍ୱିନୀ କୁମାର ୪୬ବର୍ଷ ପରେ ଦଳରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଅନ୍ୟପଟେ ଇସ୍ତଫା ଦେବା ପରେ ଅଶ୍ୱିନୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଟୁଇଟରରେ ସେ ଟୁଇଟ କରି ଲେଖିଛନ୍ତି, ଏହା ଏକ ସହଜ ନିଷ୍ପତ୍ତି ନୁହେଁ, କିନ୍ତୁ ନିଜର ସମ୍ମାନ ଓ ଅସ୍ତିତ୍ୱକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି। ଦଳର ନେତୃତ୍ୱ ଭାବିବା ଉଚିତ୍‌ ଯେ, ଦଳର ବିଶ୍ୱସ୍ତ ଲୋକମାନେ କାହିଁକି ଦଳକୁ ଧୀରେ ଧୀରେ ବିଦାୟ ଦେଉଛନ୍ତି। ମୁଁ ମୋର ସମ୍ମାନ ଏବଂ ଅସ୍ତିତ୍ୱକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି, ମୋର କାନ୍ଧ ଏତେ ଶକ୍ତିଶାଳୀ ନୁହେଁ ଯେ, ଏଭଳି ଉଦାସୀନତାର ଭାର ବହନ କରିପାରିବ। କଂଗ୍ରେସ ଆଉ ପୂର୍ବ ଭଳି ଦଳ ନାହିଁ। ଆଗାମୀ ଦିନରେ କଂଗ୍ରେସ ଦଳର ରାଜନୈତିକ ଭୂମିକା ଆହୁରି ହ୍ରାସ ପାଇବ। ଅଧିକ ଶକ୍ତି ସହିତ ସେ ରାଜନୀତି କରିବେ ଏବଂ ନିଜର ଭାଗ୍ୟ ଲେଖିବେ। ଆଜି ଦେଶର ଲୋକଙ୍କୁ ଯୋଡ଼ି ରଖିପାରୁଥିବା ଏକ ରାଜନୀତି ଆବଶ୍ୟକ ବୋଲି ଅଶ୍ୱିନୀ କୁମାର କହିଛନ୍ତି। । ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଅଶ୍ୱିନୀ କୁମାର କଂଗ୍ରେସ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ଇସ୍ତଫା ପତ୍ର ପଠାଇଥିଲେ। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, କଂଗ୍ରେସ ଦଳରୁ ବାହାରେ ରହି ସେ ଦେଶର ସେବା କରିପାରିବେ। ତେଣୁ ସେ ଦଳରୁ ଇସ୍ତଫା ଦେଉଛନ୍ତି। ଅପରପକ୍ଷେ ସେ ଏବେ ଅନ୍ୟ କେଉଁ ଦଳରେ ଯୋଗଦେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share