ନୂଆଦିଲ୍ଲୀ,୯ା୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ ସୋମବାର ଭାଜପା ଛାଡ଼ିଛନ୍ତି। ସେ ଖୁବ୍ଶୀଘ୍ର କଂଗ୍ରେସରେ ପୁନର୍ବାର ଯୋଗଦେବେ ବୋଲି ଜଣାପଡ଼ିଛି। ମାସେ ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂ ଲୋକ ସଭା ଏବଂ ଭାଜପାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ। ବୀରେନ୍ଦ୍ର ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ତାଙ୍କ ସ୍ତ୍ରୀ ପ୍ରେମଲତା ମଧ୍ୟ ଭାଜପା ଛାଡ଼ିଛନ୍ତି। ସେ ୨୦୧୪ରୁ ୨୦୧୯ ବିଧାୟିକା ଥିଲେ। ମଙ୍ଗଳବାର ଉଭୟ କଂଗ୍ରେସରେ ଯୋଗଦେବେ ବୋଲି ଏକ ଖବରଦାତା ସମ୍ମିଳନୀରେ ବୀରେନ୍ଦ୍ର କହିଛନ୍ତି। ବୀରେନ୍ଦ୍ର ପାଖାପାଖି ୪ ଦଶନ୍ଧି ଧରି କଂଗ୍ରେସ ସହ ରହିବା ପରେ ୨୦୧୪ରେ ଭାଜପାରେ ସାମିଲ ହୋଇଥିଲେ।