
ପୁରୀ,୧୮ା୩ (ଅଜିତ୍ କୁମାର ମହାନ୍ତି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ସମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମ୍ପନ୍ନ ବେଳେ ରାମନାମ ସତ୍ୟ ହେ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ପରିବେଶ। ଶେଷକୃତ୍ୟ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୁଅ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଏମ୍ପି ସମ୍ବିତ୍ ପାତ୍ର, ଯୋଗଗୁରୁ ବାବା ରାମଦେବଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ସୋମବାର ନୂଆଦିଲ୍ଲୀଠାରେ ୮୪ ବର୍ଷ ବୟସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପରଲୋକ ଘଟିଥିଲା। ତାଙ୍କ ଦେହାନ୍ତ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ସମେତ ବହୁ ନେତା ତାଙ୍କ ଶେଷ ଦର୍ଶନ କରିଥିଲେ।
ପରେ ସ୍ବର୍ଗତ ପ୍ରଧାନଙ୍କ ମରଶରୀର ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ସୋମବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚି ଥିଲା। ପରେ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।
ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ସୁରମା ପାଢ଼ୀ ଶେଷ ଦର୍ଶନକରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ପରେ ବିମାନବନ୍ଦରଠାରୁ ସ୍ବର୍ଗତ ପ୍ରଧାନଙ୍କ ମରଶରୀର ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ଦେବେନ୍ଦ୍ରଙ୍କ ଶେଷ ଦର୍ଶନ ଲାଗି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ, ବହୁ ବିଧାୟକ ଏବଂ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।
ରାଜ୍ୟ କାର୍ଯ୍ୟାଳୟଠାରେ ଶେଷ ଦର୍ଶନ ସରିବା ପରେ ତାଙ୍କ ପାର୍ଥିବ ଶରୀରକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରର ପ୍ରାଚୀବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲା। ପରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ପାର୍ଥିବ ଶରୀର ବାହାରିଥିଲା।