ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢାଉ

ଓ୍ବାଶିଂଟନ୍‌,୯।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ତାଙ୍କ ମାର-ଏ-ଲାଗୋ ବାସଭବନରେ ଏଫବିଆଇ ଏଜେଣ୍ଟମାନେ ଚଢାଉ କରିଛନ୍ତି। ଏନେଇ ନିଜେ ଟ୍ରମ୍ପ ସୋସିଆଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଫ୍ଲୋରିଡାର ପାଲମ ବିଚରେ ଥିବା ମୋର ସୁନ୍ଦର ଘର ମାର-ଏ-ଲାଗୋ ଉପରେ ଏଫବିଆଇ ଏଜେଣ୍ଟମାନେ ଚଢାଉ କରିଛନ୍ତି। ଏହା ଆମ ଦେଶ ପାଇଁ ଏକ ଅନ୍ଧକାର ସମୟ। ଏବେ ଦେଶରେ ନ୍ୟାୟ ବ୍ୟବସ୍ଥାକୁ ଅସ୍ତ୍ର କରାଯାଉଛି। ଯେଉଁମାନେ ଚାହାଁନ୍ତି ଯେ ମୁଁ ୨୦୨୪ରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିବି ନାହିଁ, ସେମାନେ ଏଭଳି କାମ କରୁଛନ୍ତି।
ସୂଚନାଯୋଗ୍ୟ, ଆମେରିକାର ନ୍ୟାୟ ବିଭାଗ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ଜାନୁଆରୀ ୬ରେ ଆମେରିକାର କ୍ୟାପିଟାଲ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରୁଛି। ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଟ୍ରମ୍ପ ହ୍ବାଇଟ ହାଉସରୁ କିଛି ଅତ୍ୟବଶ୍ୟକ ଡକ୍ୟୁମେଣ୍ଟ ତାଙ୍କ ଘରକୁ ନେଇ ଆସିଥିବା ଅଭିଯୋଗ ହୋଇଛି। ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୋମବାର ସକାଳେ ଚଢାଉ ଆରମ୍ଭ ହୋଇଥିଲା। ଟ୍ରମ୍ପଙ୍କ ଘରେ ଚଢାଉ ବେଳେ ଏଫ୍‌ବିଆଇ ହାତରେ ଅନେକ ସିକ୍ରେଟ ଡକ୍ୟୁମେଣ୍ଟ ଲାଗିଛି।

Share