ପୂର୍ବତନ ଆମେରିକା ବିଦେଶମନ୍ତ୍ରୀଙ୍କ ପରଲୋକ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଥିଲା ବିବାଦୀୟ ଭୂମିକା…

ଓ୍ବାଶିଂଟନ,୩୦।୧୧ : ଆମେରିକାର ପ୍ରସିଦ୍ଧ ରାଜନେତା ତଥା କୂଟନୀତିଜ୍ଞ ହେନେରୀ କିସିଙ୍ଗରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି। କୁହାଯାଉଛି ବୁଧବାର କନେକ୍ଟିକଟରେ ଥିବା ତାଙ୍କ ଘରେ ତାଙ୍କର ମୃତ୍ୟୁ ଘଟିଛି।

ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଏବଂ ଜେରାଲ୍ଡ ଫୋର୍ଡଙ୍କ କାର୍ଯ୍ୟକାଳ ମଧ୍ୟରେ କିସିଙ୍ଗର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ବୈଦେଶିକ ସଚିବ ଭାବରେ କାର୍ଯ୍ୟ କରିଥିଲେ। ସେ ଚଳିତ ବର୍ଷ ୨୭ ମେରେ ତାଙ୍କର ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ଆଧୁନିକ ଆମେରିକୀୟ ଇତିହାସରେ ହେନେରୀ କିସିଙ୍ଗର୍‌ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପୁରୁଷ। ଭିଏତନାମ ଯୁଦ୍ଧ ଏବଂ ଆମେରିକୀୟ ସୈନ୍ୟ ପ୍ରତ୍ୟାହାରରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏଥି ସହିତ, ୧୯୭୧ରେ ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ତାଙ୍କର ଭୂମିକା ଅତ୍ୟନ୍ତ ବିବାଦୀୟ ଥିଲା। ଏହି ଯୁଦ୍ଧ ଯୋଗୁ ବିଶ୍ୱ ମାନଚିତ୍ରରେ ଏକ ସ୍ବାଧୀନ ଦେଶ ବାଂଲାଦେଶ ସୃଷ୍ଟି ହୋଇଥିଲା।

କିସିଙ୍ଗର୍‌ ୧୯୨୩ ମସିହାରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୩୮ ରେ ଆମେରିକା ଆସିଥିଲେ । ପରେ, ୧୯୪୩ ମସିହାରେ, ସେ ଜଣେ ଆମେରିକୀୟ ନାଗରିକ ହୋଇଥିଲେ ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ସେନାରେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ସେ କାଉଣ୍ଟର ଇଣ୍ଟେଲିଜେନ୍ସ କର୍ପସରେ ମଧ୍ୟ କାର୍ଯ୍ୟ କରିଥିଲେ।

ସ୍ନାତକ, ମାଷ୍ଟର ଏବଂ ପିଏଚଡି ଡିଗ୍ରୀ ହାସଲ କରିବା ପରେ ସେ ହାର୍ଭାର୍ଡରେ ଆନ୍ତର୍ଜାତୀୟ ସମ୍ପର୍କ ଶିକ୍ଷା ଦେଇଥିଲେ। ୧୯୬୯ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ତାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ। ଏହି ପୋଷ୍ଟ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

Share