Categories: ଜାତୀୟ

ଭୁଲ୍‌ ସ୍ବୀକାର କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୬।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିଜର ଏକ ଭୁଲ୍‌କୁ ସ୍ବୀକାର କରିଛନ୍ତି। ୨୦୧୯ରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ ସହ ମିଶି ସରକାର ଗଠନ ପାଇଁ ନିଷ୍ପତ୍ତି ନେବା ଭୁଲ୍‌ ଥିଲା ବୋଲି ଫଡନାଭିସ୍‌ କହିଛନ୍ତି। ଭାରତୀୟ ଜନତା ପାର୍ଟି ନେତା ଫଡନାଭିସ ଏକ ସାକ୍ଷାତକାରରେ ସେ କହିଛନ୍ତି, ଅବଶ୍ୟ ଏଥିପାଇଁ ମୋର କୌଣସି ଅନୁତାପ ନାହିଁ, କିନ୍ତୁ ଆମେ ଏପରି ସରକାର ଗଠନ କରିବା ଉଚିତ୍‌ ନ ଥିଲା। ଏହା ଏକ ଭୁଲ ନିଷ୍ପତ୍ତି ଥିଲା।
ଫଡନାଭିସ ଆହୁରି ମଧ୍ୟ କହିଛନ୍ତି, ରାଜନୀତିରେ ରହିବା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ହେବ। ଯେତେବେଳେ ସରକାର ଗଠନ କରିବାର ସୁଯୋଗ ଆସିଲା, ଆମେ ଏହାକୁ ଧରିଲୁ। ଏବେ ମୁଁ କହିପାରେ ଯେ ସେହି ସମୟରେ ଆମେ ଯାହା କରିଥିଲୁ ତାହା ଆମର ସମସ୍ତ ସମର୍ଥକ ପସନ୍ଦ କରୁ ନ ଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳରେ କୌଣସି ରାଜନୈତିକ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲା। ନଭେମ୍ବର ୨୩, ୨୦୧୯ ପୂର୍ବାହ୍ନରେ ରାଜ ଭବନରେ ଆୟୋଜିତ ଏକ ସରଳ ସମାରୋହରେ ଫଡନାଭିସ ଏବଂ ପାୱାର ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ରାଜନୈତିକ କରିଡରରେ ଚର୍ଚ୍ଚା ସୃଷ୍ଟି କରିଥିଲେ। ଏହାର ୮୦ ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଫଡନାଭିସ୍‌। ପରେ ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ରାଜ୍ୟରେ ଏକ ଅଣ-ଭାଜପା ସରକାର ଗଠନ କରିଥିଲେ।

Share