ପାଟଣାଗଡ଼,୨୨ା୫(ଡି.ଏନ୍.ଏ.): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନର ଜଙ୍ଗଲ ବିଭାଗ ଫରେଷ୍ଟର ଭାଗବତ ଦାସ ଓ ଫରେଷ୍ଟ ଗାର୍ଡ ଗୋପାଳ ଗଡ଼ତ୍ୟାକୁ ବଲାଙ୍ଗୀର ଡିଏଫ୍ଓ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
ସୂଚନାରୁ ପ୍ରକାଶ ଯେ, ଲରମ୍ଭା ଫରେଷ୍ଟ ରେଞ୍ଜ ଭରତ ବାହାଳ ଗ୍ରାମର କରୁଣା ମିଶ୍ରଙ୍କ ଟ୍ରାକ୍ଟରକୁ ଗତ ଫେବୃୟାରୀ ୨୨ ତାରିଖରେ ଲରମ୍ଭା ଫରେଷ୍ଟର ଭାଗବତ ଦାସ ଜଙ୍ଗଲରୁ କାଠ ଚୋରି କରୁଥିବା ଅଭିଯୋଗ ଦର୍ଶାଇ ଟ୍ରାକ୍ଟରକୁ ଜବତ କରିବା ସହ ତାଙ୍କ ବଡ଼ ଭାଇ କେଶବ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଥିଲେ। ପରେ ଉକ୍ତ ଟ୍ରାକ୍ଟରକୁ ଛାଡ଼ିଦେବା ପାଇଁ ଚାର୍ଜଶିଟ୍କୁ କୋହଳ କରିବାକୁ ଫରେଷ୍ଟର ଭାଗବତ ଦାସଙ୍କୁ ୨୦ ହଜାର ଟଙ୍କା ଓ ଫରେଷ୍ଟ ଗାର୍ଡ ଗୋପାଳ ଗଡ଼ତ୍ୟାଙ୍କୁ ୫ ହଜାର ଟଙ୍କା ଲାଞ୍ଚ କରୁଣା ମିଶ୍ର ଦେଇଥିଲେ। ଉକ୍ତ ଲାଞ୍ଚ କାରବାରର ଏକ ଅଡିଓ ଭାଇରାଲ ହୋଇଥିଲା ଏହି ଅଡିଓ ଆଧାରରେ ବଲାଙ୍ଗୀର ଡିଏଫ୍ଓ ଉଭୟ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।