ବାରିପଦା ଅଫିସ,୧୦ା୬: ବାଘ ଗଣନା ସାରି ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଛନ୍ତି ଫରେଷ୍ଟର ତରୁଣ କୁମାର ଦାସ। ଏଭଳି ଘଟିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜ ଅଞ୍ଚଳରେ।
ଗତ ୬ ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଏହା ଶେଷ ହେବ। ଏହି କାର୍ଯ୍ୟରେ ୫୦୦ ଊର୍ଦ୍ଧ୍ୱ ବନ କର୍ମଚାରୀ ସାମିଲ ହୋଇଛନ୍ତି। ତେବେ ଗୁରୁବାର ତରୁଣ ଚହଲା ରେଞ୍ଜ ଅଞ୍ଚଳରୁ ବାଘ ଗଣନା ସାରି ଫେରିବା ବେଳେ ହାତୀ ତାଙ୍କୁ କଚାଡ଼ି ଦେଇଥିଲା। ଫଳରେ ତାଙ୍କ ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଯଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।