ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ଡିଏଫ୍‌ଓଙ୍କୁ ଜେରା କଲେ ଏସ୍‌ଡିପିଓ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ ସ୍ଥାନୀୟ ଡିଏଫ୍‌ଓଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ ପ୍ରିୟଙ୍କା ସୁବୁଦ୍ଧି ଓ ଭାଇ ରବି। ଏହାକୁ ନେଇ ସେମାନେ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ କୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିବା ପରେ ଶୁକ୍ରବାର ଭବାନୀପାଟଣା ଟାଉନ ଥାନାରେ ହାଜର ହୋଇଛନ୍ତି ଡିଏଫ୍‌ଓ ଦେବେନ୍ଦ୍ର କୁମାର ବେହେରା। ପ୍ରିୟଙ୍କାଙ୍କ ଅଭିଯୋଗକୁ ଆଧାର କରି ଭବାନୀପାଟଣା ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ଡିଏଫ୍‌ଓ ବେହେରାଙ୍କୁ ୪ରୁ ୫ ଘଣ୍ଟା ଧରି ଜେରା କରିଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୬ଦିନ ତଳେ ତଦନ୍ତ ଦାୟିତ୍ୱରେ ଥିବା ସିସିଏଫ୍‌ ଜାରିଙ୍ଗ ହାଇଟେକ ନର୍ସରୀକୁ ତଦନ୍ତ କରିବାକୁ ଆସିଥିଲେ। ଏହି ସମୟରେ ସେ ସ୍ଥାନୀୟ ଗାର୍ଡ, ଫରେଷ୍ଟରଙ୍କ ସହ ଆଲୋଚନା କରିବା ସହ କାଗଜପତ୍ର ମଧ୍ୟ ଯାଞ୍ଚ କରିଥିଲେ।

Share