୩ ମାସ ହେଲା ୪୦ ପରିବାର ଜଳବନ୍ଦୀ

ବାହାନଗା, ୧୦ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ୨ଟି ୱାର୍ଡର ଦୁଃଖ କହିଲେ ନ ସରେ। ୟାସ୍‌ ବାତ୍ୟାକୁ ୩ମାସ ବିତିଯାଇଥିଲେ ମଧ୍ୟ ଖପରପଦା ସାହିର ୪୦ ପରିବାର ଏବେ ବି ଜଳବନ୍ଦୀ ହୋଇରହିଛନ୍ତି। ଅନ୍ୟ ଏକ ପାଖ ୱାର୍ଡର ୪ଟି ସାହିର ୧୫୦ ପରିବାରର ଲୋକେ ଘରୁ ରାସ୍ତାକୁ ବାହାରି ପାରୁନାହାନ୍ତି। ପୁରୁଣା ପାଣି ନାଳ ଜବରଦଖଲ କରି ରଖାଯାଇଥିବାରୁ ୨ଟି ୱାର୍ଡରେ ବନ୍ୟାପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ସନ୍ତସନ୍ତିଆ ପରିବେଶ ସହ ଘର ଚାରିପାଖରେ ପାଣି ଜମିରହିବାରୁ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସବୁ ଜାଣି ବ୍ଲକ ପ୍ରଶାସନ ନିରୁପାୟ ହୋଇପଡିଛି ା
ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ୯ନମ୍ବର ୱାର୍ଡର ନାୟକ ସାହି, ସେଠୀ ସାହି, ଦାସ ସାହି, ପଲେଇ ସାହି, ଓ ୭ ନମ୍ବର ୱାର୍ଡର ଖପରପଦା ସାହି ମିଶି ପାଖାପାଖି ୨ ଶହ ପରିବାରର ଲୋକଙ୍କ ଦୁଃଖ ଏପର୍ଯ୍ୟନ୍ତ ଦୂର ହୋଇନାହିଁ ା ସାହିରୁ ଜଳ ନିଷ୍କାସନ ପାଇଁ ଗ୍ରାମବାସୀ ବାରମ୍ବାର ତହସିଲଦାରଙ୍କଠାରେ ଅଭିଯୋଗ କରିଥିଲେ ମଧ୍ୟ ତହସିଲ ପ୍ରଶାସନ ତଦନ୍ତ କରିବାକୁ ଯାଇ ଚୁପ୍‌ ରହିଥିବାରୁ କ୍ଷତିଗ୍ରସ୍ତ ହେଉଥିବା ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖପରପଦା ସାହିର ରନତ୍ାକର ମହାଳିକ, ହରିହର ମହାଳିକ, ପୁରୁଷୋତ୍ତମ ମହାଳିକ, ବିଷ୍ଣୁମୋହନ ମହାଳିକ, ମଣ୍ଟୁ ମହାଳିକ, କାମିନୀକାନ୍ତ ମହାଳିକ ପ୍ରମୁଖ ୪୦ ପରିବାରର ଘର ଏବେ ବି ଜଳବନ୍ଦୀ ହୋଇରହିଛି ା ସେମାନଙ୍କ ଘର ଚାରିପାଖରେ ୩ଫୁଟ ଉଚ୍ଚରେ ପାଣି ଜମି ରହିଛି ା ଦୀର୍ଘ ୩ ମାସ ହେଲାଣି ଜଳ ବାହାରକୁ ନିଷ୍କାସନ ହୋଇପାରୁନାହିଁ। ଫଳରେ ଛୋଟ ପିଲାଠାରୁ ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ପାଣିରେ ଯାତାୟାତ କରିବା ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ା ରାତିରେ ସାପ କାମୁଡିବା ଭୟ ଥିବାରୁ ଅଧିକାଂଶ ପରିବାରର ଲୋକମାନେ ଅନ୍ୟ ଲୋକଙ୍କ ଘରେ ଯାଇ ରାତ୍ରୀଯାପନ କରୁଛନ୍ତି ା ଗୃହପାଳିତ ପ୍ରାଣୀ ମଧ୍ୟ ପାଣିଘେରରେ ରହୁଥିବାରୁ ୩ଟି ଗୋରୁ ମୃତ୍ୟୁବରଣ କରିସାରିଲୋଣି। ସେହିପରି ୯ନମ୍ବର ୱାର୍ଡର ବାସିନ୍ଦାଙ୍କୁ ଘରୁ ବାହାରିବା ଅସମ୍ଭବ ହୋଇପଡିଛି। ସାହିରୁ ପାଣି ନିଷ୍କାସନ ହୋଇ ନ ପାରିବାରୁ ରାସ୍ତା ଉପରେ ୩ ମାସ ଧରି ବନ୍ୟପାଣି ଜମି ରହିଛି। ଲୋକମାନେ ଯାତାୟାତ କରିବାରେ ଅସୁବିଧା ଭୋଗୁଛନ୍ତି। ଫଳରେ ୪ଟି ସାହିର ୧୫୦ ପରିବାରର ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ୨ଟି ୱାର୍ଡର ବର୍ଷା ପାଣି ଓ ବନ୍ୟା ପାଣି ଗୋଟିଏ ନାଳ ଦେଇ ପୂର୍ବରୁ ନିଷ୍କାସନ ହେଉଥିଲା। ପୁରୁଣା ପାଣି ନାଳ ଯେଉଁ ରାସ୍ତାକଡ ଦେଇ ଯାଇଥିଲା ତାହା ଗ୍ରାମର କିଛି ପରିବାର ଲୋକଙ୍କ ବ୍ୟକ୍ତିଗତ ଜମି ଉପରେ ଦୀର୍ଘ ବର୍ଷ ଧରି ନାଳରେ ପାଣି ନିଷ୍କାସନ ହେଉଥିଲା। କାଳକ୍ରମେ ପରିବାର ବଢିବାରୁ ଘରଲୋକ ନାଳକୁ ପୋତି ଦେବାରୁ ଆଉ ପାଣି ନିଷ୍କାସନ ହୋଇପାରୁନାହିଁ। ପ୍ରଶାସନ ଆସି ଦେଖିଲେ ମଧ୍ୟ ବ୍ୟକ୍ତିଗତ ଜମି ଥିବାରୁ ଚୁପ୍‌ଚାପ୍‌ ରହୁଛନ୍ତି। ଉପଜିଲାପାଳଙ୍କ କୋର୍ଟରେ ୧୩୩ ନମ୍ବରରେ ଏକ ଇଜିମେଣ୍ଟେଡ୍‌ ରାଇଟ୍‌ ମାମଲା ରୁଜୁ କରାଯାଇଛି। ସେହି କେସ୍‌ ଫାଇନାଲ ହେବା ପରେ ଲୋକମାନଙ୍କ ସ୍ବାର୍ଥ ଓ ମାନବ ଅଧିକାର ଅନୁଯାୟୀ ସମସ୍ତଙ୍କର ବଞ୍ଚିବାର ଅଧିକାର ଓ ସୁସ୍ଥ ରହିବାର ଅଧିକାର ନେଇ ପ୍ରଶାସନ ବ୍ୟକ୍ତିଗତ ଜମିରେ ଜଳ ନିଷ୍କାସନ କରିବା ପାଇଁ ଡ୍ରେନେଜ ଖୋଳି ଜଳ ନିଷ୍କାସନ କରିପାରିବେ। ଗ୍ରାମରେ ଥିବା ପୁରୁଣା ନାଳର ପୁନରୁଦ୍ଧାର କରାଯାଇ ଜଳ ନିଷ୍କାସନ ଶୀଘ୍ର କରିବା ପାଇଁ ଗ୍ରାମ୍ୟ କମିଟି ସଭାପତି ନିର୍ମଳ ନାୟକ ଦାବି କରିଛନ୍ତି। ଏନେଇ ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ସେ ବିଷୟରେ କିଛି ଜାଣିନାହିଁ କି ଦେଖିନାହିଁ ା ଫୋନ୍‌ ମାଧ୍ୟମରେ ଯାହା ଖବର ପାଇଛି ା ସାହିକୁ ଯାଇ କିପରି ଜଳ ନିଷ୍କାସନ ହୋଇପାରିବ ସେ ଦିଗରେ ନିଶ୍ଚିତ ପଦକ୍ଷେପ ନିଆଯିବ।

 

Share