୪୦ଘଣ୍ଟା ପରେ ପୁଅକୁ ଫେରି ପାଇଲେ ପରିବାର ଲୋକେ, ଘର ନିକଟରୁ ହୋଇଥିଲା ଅପହରଣ

ଗଜପତି,୧୮।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗତ ବୁଧବାର ସନ୍ଧ୍ୟାରେ ଜଣେ ୭ ବର୍ଷ ଶିଶୁକୁ ଦୁଇଜଣ ଅଜଣା ବ୍ୟକ୍ତି ଅପହରଣ କରିନେଇଥିଲେ। ଏ ନେଇ ଗଜପତି ପୋଲିସ ସୂଚନା ଦେଇଥିଲା । ସେ ହେଲେ କୁମୁଟି ସାହିର ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମି ହାର୍ଦ୍ଦିକ। ହାର୍ଦ୍ଦିକଙ୍କୁ ଶୁକ୍ରବାର ସକାଳୁ କାଶୀନଗରଠାରୁ ତିନି କିଲୋମିଟର ଦୂର କୋଇଠପଦର ଏକ ନାଳ (ବ୍ରିଜ) ଠାରେ ନୂତନ ନିର୍ମାଣାଧୀନ କୋଠାରରୁ ଉଦ୍ଧାର କରାଯାଇଛି। ସକାଳୁ ତାଙ୍କ ମଉସା ପଟୁନୁରୁ ନାରେଶ ସେଠାକୁ ଯାଇଥିଲେ । ପରେ ସେଠାରେ ପୁତୁରାକୁ ଦେଖି ପୋଲିକୁ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ତେବେ କିଏ ଓ କାହିଁକି ତାଙ୍କୁ ଅପହରଣ କରିଥିଲା ସେ ନେଇ କିଛି ଜଣାପଡ଼ି ନାହିଁ।