ୱାଶିଂଟନ: ଜଣେ ମହିଳା ୩୦ ବର୍ଷ ହେବ ନିଖୋଜ ଥିଲେ। ଏବେ ତାଙ୍କ ପରିବାର ତାଙ୍କୁ ପାଇ ବେଶ୍ ଖୁସି ହୋଇଛନ୍ତି। ରିପୋର୍ଟ ମୁତାବକ, ଆମେରିକାର ପାଟ୍ରିସିଆ କୋପ୍ତା ନାମ୍ନୀ ଜଣେ ମହିଳା ୫୨ ବର୍ଷ ବୟସରେ ପେନ୍ସିଲଭାନିଆର ପିଟର୍ସବର୍ଗରୁ ୧୯୯୨ ମସିହାରେ ଅଚାନକ ନିଖୋଜ ହୋଇଯାଇଥିଲେ। ରିପୋର୍ଟ ମୁତାବକ, କୋପ୍ତାଙ୍କ ନିଖୋଜ ପରେ ତାଙ୍କ ପରିବାର ଅନେକ ଖୋଜାଖୋଜି କରି ପାଇ ନ ଥିଲେ। ଏ ନେଇ ବିଭିନ୍ନ ସମୟରେ ଖବରକାଗଜରେ ବିଜ୍ଞାପନ ବାହାର କରିଥିଲେ ମଧ୍ୟ କିଛି ଲାଭ ମିଳି ନ ଥିଲା। ପୋଲିସ ମଧ୍ୟ ଉକ୍ତ ମହିଳାଙ୍କୁ ବହୁ ଖୋଜିବା ପରେ ନ ପାଇବାରୁ ତାଙ୍କୁ ମୃତା ଘୋଷିତ କରାଯାଇଥିଲା। ହେଲେ ଏବେ ତାଙ୍କୁ କାର୍ବିଆନ ଦ୍ୱୀପର ପୁଇର୍ଟୋ ରିକୋରେ ଦେଖିବାକୁ ମିଳିଛି। ତାଙ୍କୁ ଏବେ ୮୩ ବର୍ଷ ହୋଇଥିବାବେଳେ ତାଙ୍କ ପରିବାର ତାଙ୍କୁ ପାଇ ବେଶ୍ ଖୁସି ଥିବା ଜଣାପଡ଼ିଛି।