ମିଳିଲା କ୍ଷମତା: ଜବରଦଖଲ ଉଚ୍ଛେଦ କରିପାରିବେ ତହସିଲଦାର

ଭୁବନେଶ୍ୱର,୧୫।୯(ବ୍ୟୁରୋ): ସର୍ବସାଧାରଣ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରିବା ଲାଗି ରାଜ୍ୟ ସରକାର ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଇଷ୍ଟେଟ ଅଫିସର କ୍ଷମତା ପ୍ରଦାନ କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜସ୍ବ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନରେ ଥିବା ବ୍ୟବସ୍ଥାର ଭୁଲ ବୁଝାମଣା ଯୋଗୁ ସହରାଞ୍ଚଳରେ ବେଆଇନ ଜବରଦଖଲକୁ ତହସିଲଦାରମାନେ ଉଚ୍ଛେଦ କରି ପାରୁ ନ ଥିଲେ। ପୂର୍ବରୁ କେବଳ ଇଷ୍ଟେଟ ଅଫିସରମାନଙ୍କୁ ସରକାରୀ ଜବରଦଖଲ ହଟାଇବା ଅଧିକାର ଦିଆଯାଇଥ୍‌ତ୍ବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତହସିଲଦାରମାନଙ୍କର ସହରାଞ୍ଚଳରେ ଜବରଦଖଲ ଉଚ୍ଛେଦ କରିବାର କୌଣସି କ୍ଷମତା ନ ଥିଲା। ଏହି ଧାରଣାକୁ ଦୂର କରାଯାଇ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଇଷ୍ଟେଟ ଅଫିସର କ୍ଷମତା ଦିଆଯାଇଛି ବୋଲି ସଚିବ କହିଛନ୍ତି। ଏଥିପାଇଁ ଆଇନ ବିଭାଗର ସହମତି ଲୋଡାଯାଇଥିଲା। ବିଭାଗ ପକ୍ଷରୁ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବା ପରେ ଏ ନେଇ ସବୁଜ ସଙ୍କେତ ମିଳିଥିଲା। ଏହା ପରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

Share