Categories: ଖେଳ

ବାରାଣସୀରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ

ବାରଣାସୀ (ଉତ୍ତର ପ୍ରଦେଶ), ୨୪ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଷ୍ଟାଡିୟମର ଡିଜାଇନ ଭବବାନ ମହାଦେବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। କାଶି ସହରର ନାଗରିକମାନଙ୍କ ଲାଗି ଏହା ଏକ ଗୌରବର ବିଷୟ। ସେମାନେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଦେଖିବାର ସୁଯୋଗ ପାଇବେ। ଏହାଛଡ଼ା ଏହି ଷ୍ଟାଡିୟମରେ ଯୁବ ଆଥ୍‌ଲେଟମାନଙ୍କ ଲାଗି ଅନ୍ତର୍ଜାତୀୟ ସ୍ତରର ଟ୍ରେନିଂ ବ୍ୟବସ୍ଥା ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନିକଟରେ ଭାରତର କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ଯୋଗୁ ଖେଳପ୍ରତି ରହିଥିବା ଧାରଣାରେ ପରିବର୍ତ୍ତନ ଘଟିଛି। ଯୁବଶ୍ରେଣୀ ଖେଳକୁ କ୍ୟାରିୟର ଭାବେ ଗ୍ରହଣ କରିବାକୁ ଆଗଭର ହେଉଛନ୍ତି। ଏହା ଫିଟ୍‌ନେସ ବ୍ୟତୀତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି। ଏହି ଷ୍ଟାଡିୟମଟି ୩୦ ଏକର ପରିମିତ ଅଞ୍ଚଳରେ ରାଜାତଲାବ ଅଞ୍ଚଳର ରିଙ୍ଗ୍‌ ରୋଡ୍‌ ନିକଟରେ ୪୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ୨୦୨୫ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଜିମ ଅଧିଗ୍ରହଣ ପାଇଁ ଉତ୍ତର ପ୍ରଦେଶ ସରକାର ୧୨୧ କୋଟି ଟଙ୍କା ବ୍ୟୟ କରିଛନ୍ତି। ନିର୍ମାଣ କାର୍ଯ୍ୟ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩୩୦ କୋଟି ଟଙ୍କା ବ୍ୟୟ କରିବ। କାନପୁର ଓ ଲକ୍ଷ୍ନୌ ପରେ ଉତ୍ତର ପ୍ରଦେଶର ଏହା ହେବ ତୃତୀୟ ଷ୍ଟାଡିୟମ।

Share