ଭୁବନେଶ୍ୱର,୨୮।୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ‘ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର’ (ଜେଏସ୍ପି)ର ସହଯୋଗୀ ତଥା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଶାଖା ଜେଏସ୍ପି ଫାଉଣ୍ଡେଶନ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମିପୂଜନ ସମାରୋହ ଅନୁଗୋଳ ଜିନ୍ଦଲନଗରଠାରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଅନୁଗୋଳ ଜିଲାରେ ସ୍ବାସ୍ଥ୍ୟସେବାର ନିରନ୍ତର ଉନ୍ନତି ନିମନ୍ତେ ଜେଏସ୍ପି ପକ୍ଷରୁ ଜିନ୍ଦଲନଗର ଦେବଭୂମିଠାରେ ହେବାକୁ ଥିବା ଏହି ଅତ୍ୟାଧୁନିକ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲର ଶିଳାନ୍ୟାସ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜେଏସ୍ପିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସ୍ପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଉକ୍ତ ହସ୍ପିଟାଲର ଭୂମିପୂଜା ଓ ଆଧାରଶିଳା ରଖିଥିଲେ। ଏହି ଅବସରରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏବଂ ଅନୁଗୋଳ ପୌରପାଳିକା ନଗରପାଳ ଅକ୍ଷୟ କୁମାର ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ଜେଏସ୍ପିର ସିଇଓ ଦିନେଶ କୁମାର ସରୋଗୀ ସମସ୍ତ ଅତିଥିଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସମାରୋହରେ ଜେଏସ୍ପିର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ୱର ଝା, ଦାମୋଦର ମିତ୍ତଲ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ପ୍ରତାପ ପ୍ରଧାନ, ଅନୁଗୋଳ ଓକିଲ ସଂଘର ପୂର୍ବତନ ସଭାପତି ଦିଲୀପ ଦାସ ପ୍ରମୁଖ ଭୂମିପୂଜାରେ ଯୋଗଦେଇଥିଲେ।