କୋକସରା, ୧୨।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ଭିତରେ ଥିବା ସର୍ଗିପାନୀ ଗାଁ। ବିରିମୁହାଣ ରାଜସ୍ବ ଗ୍ରାମ ଅଧୀନରେ ଥିବା ଏହି ଗାଁକୁ ଚାରିପଟୁ ଘଞ୍ଚ ଜଙ୍ଗଲ ଘେରି ରହିଛି । ଗାଁକୁ ଯିବାପାଇଁ ରାସ୍ତା ନାହିଁ। ଗାଁରେ ରହନ୍ତି ୨୦ ସାନ୍ତା ଆଦିବାସୀ ପରିବାର। ଏମାନେ ସମସ୍ତେ ରାୟଗଡା କାଶିପୁର ଅଞ୍ଚଳର ମୂଳ ବାସିନ୍ଦା। ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଜଙ୍ଗଲ ଭିତରେ ରହି ଆସୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ, ମକାଚାଷ ଓ ପୋଡୁଚାଷ କରି ଗୁଜୁରାଣ ମେଣ୍ଟାନ୍ତି। ବର୍ଷର ୧୨ ମାସ ଝରଣା ପାଣିକୁ ପାନୀୟ ଜଳଭାବେ ବ୍ୟବହାର କରିଥାନ୍ତି। ଜଙ୍ଗଲ ଭିତରେ ରହିଥିବା ଏହି ଜନଜାତି ପରିବାରଙ୍କ ପ୍ରତି ପ୍ରଶାସନର କୌଣସି ନିଘା ନ ଥିବା ଅଭିଯୋଗ କରିଛନ୍ତି ସର୍ଗିପାନୀ ଗ୍ରାମବାସୀ। ଏ ନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ଗାଁଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବାରୁ ଜଙ୍ଗଲ ବିଭାଗ ବିନା ଅନୁମତିରେ କୌଣସି ସରକାରୀ ଯୋଜନା କରି ହେଉନାହିଁ। ତଥାପି ଜିଲା ପ୍ରଶାସନକୁ ଅବଗତ କରି ଆଗକୁ ମୌଳିକ ସୁବିଧା ଦେବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।