ଜଙ୍ଗଲର ୪ ଅଞ୍ଚଳ ଜଳୁଛି

ସମ୍ବଲପୁର,୧ା୪(ବ୍ୟୁରୋ) ପ୍ରତିବର୍ଷ ମାର୍ଚ୍ଚ ଶେଷ ଓ ଏପ୍ରିଲ ମାସରେ ଜଙ୍ଗଲରେ ନିଆଁ ଲାଗିଥାଏ। ବନ ବିଭାଗ ପାଖରେ ଏ ନେଇ ଆଗୁଆ ସୂଚନା ମଧ୍ୟ ରହିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ଏବେ ଜିଲାର ବିଭିନ୍ନ ଜଙ୍ଗଲ ଜଳୁଥିବା ଦେଖାଯାଉଛି। ସମ୍ବଲପୁର ବନଖଣ୍ଡର ସଦର ରେଞ୍ଜ, ଧମା ଓ ପଡିଆବାହାଲ ରେଞ୍ଜ ଅଧୀନ ଜଙ୍ଗଲରେ ନିଆଁ ଲାଗିଥିବା ଅଭିଯୋଗ ହେଉଛି। ନିଆଁ ଲାଗିବା ନେଇ ବନ ବିଭାଗ ପାଖରେ ଅଭିଯୋଗ କଲାପରେ ମଧ୍ୟ ଲିଭାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହା ଦ୍ୱାରା ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ରହୁଛି।

ଜଙ୍ଗଲ ସୁରକ୍ଷା ଓ ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) ଗଠନ କରାଯାଇଛି। ଏହି ସମିତିରେ ରହୁଥିବା ସଦସ୍ୟଙ୍କୁ ନିଅଁା ଆୟତ୍ତ କରିବା ପାଇଁ ତାଲିମ ଦିଆଯିବା ସହ ଉପକରଣ ଦିଆଯାଉଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ସରକାରୀ ଟଙ୍କା ହରିଲୁଟ ହେବା ଯୋଗୁ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଛି। ବନ ବିଭାଗ ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଛଡାଇ ନେଉଛି। ଅନ୍ୟପକ୍ଷେ ଜଙ୍ଗଲରେ ନିଅଁା ଲଗାଇବା ଏକ ଆଇନଗତ ଅପରାଧ। ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ହେଲେ ବନ ସୁରକ୍ଷା ସମିତି ଠିକ୍‌ ଭାବେ ନିଜ ଦାୟିତ୍ୱ ତୁଲାଉ ନ ଥିବାବେଳେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଲୋକଙ୍କ ମନରେ ଭୟ ରହୁନାହିଁ।

ମୁଖ୍ୟତଃ ମହୁଲ ଗୋଟାଇବା ଓ କେନ୍ଦୁପତ୍ର ପାଇଁ ନିଆଁ ଲଗାଯାଇଥାଏ। ଏହି ଦୁଇ କାରଣ ପାଇଁ ଜଙ୍ଗଲ ନିକଟରେ ଥିବା ଜମି ମାଲିକ ଯଦି ନିଜ ଜମିରେ ନିଅଁା ଲଗାଇବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ଜଙ୍ଗଲ ଭିତରକୁ ନିଆଁ ନ ବ୍ୟାପିବା ପାଇଁ ଟ୍ରେଞ୍ଚ ଖୋଳାଯାଇଛି। ସ୍ବତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ନିୟୋଜିତ କରାଯାଇଛି। ଏଥିପାଇଁ ପାଟ୍ରୋଲିଂ ଗାଡି ବ୍ୟବସ୍ଥା ରହିଛି। ଏପରି କି ଅତ୍ୟାଧୁନିକ ଜିପିଏସ୍‌ ବ୍ୟବସ୍ଥା ରହିଛି। ସାଟେଲାଇଟ ଜରିଆରେ କେଉଁ ସ୍ଥାନରେ ନିଆଁ ଲାଗିଛି ସେ ନେଇ ବନ ବିଭାଗକୁ ସୂଚନା ମିଳିପାରୁଛି। ହେଲେ ନିଆଁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହେଉଛି। ଫଳରେ ଜଙ୍ଗଲରେ ନିଆଁ ବ୍ୟାପୀ ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ରହୁଛି। କେତେକ ବନ୍ୟପ୍ରାଣୀ ଏଥିଯୋଗୁ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହେଉଛି। ସଦର ରେଞ୍ଜର ଭୀମଖୋଜ, ଯୁଯୁମୁରା, ଗଡଲୁଇସିଂ, ବସିଆପଡା ଅଞ୍ଚଳର ଏକର ଏକର ଜଙ୍ଗଲରେ ନିଅଁା ଲାଗିଥିବା ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ସମ୍ବଲପୁର ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବର କହିଛନ୍ତି, ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ରେଞ୍ଜ ସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ପ୍ରାୟ ୮୦ ପ୍ରତିଶତ ନିଆଁ ଆୟତ୍ତ କରାଯାଇଛି। ମହୁଲ ଫୁଲ ଓ କେନ୍ଦୁପତ୍ର ପାଇଁ କେତେକ ସ୍ଥାନରେ ଦୁର୍ବୃତ୍ତମାନେ ନିଅଁା ଲଗାଇ ଦେଉଛନ୍ତି। ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share