ବାମଗୋଡ, ପେଟ ଓ କାନ୍ଧରେ ବାଜିଥିଲା ୪ ଗୁଳି

ବାଲେଶ୍ୱର ଅଫିସ/ସିମୁଳିଆ,୨୪।୭: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ନିହତ ହୋଇଛନ୍ତି।
ଶନିବାର ଅପରାହ୍ନ ପ୍ରାୟ ୩ଟା ୨୦। ଚୌଦ୍ୱାର ଜେଲ୍‌ରୁ ସେକ୍‌ ହାଇଦରଙ୍କୁ ଜଣେ ଇନ୍ସପେକ୍ଟର, ସବ୍‌ ଇନ୍ସପେକ୍ଟର ଓ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ ବାରିପଦା ଜେଲ୍‌କୁ ନିଆଯାଉଥିଲା। ସିମୁଳିଆ ଥାନାରେ ନିକଟରେ ପରିସ୍ରା ଯିବା ବାହାନାରେ ହାଇଦର ଗାଡିରୁ ଓହ୍ଲାଇଥିଲେ। ସେ ପ୍ରଥମେ ସୁରକ୍ଷା କର୍ମୀଙ୍କ ହାତରୁ ବନ୍ଧୁକ ଛଡାଇ ନେଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ପୋଲିସ ଟିମ୍‌ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ସେ ଶୁଣି ନ ଥିଲେ। ଫଳରେ ପୋଲିସ ଟିମ୍‌ ବାଧ୍ୟ ହୋଇ ହାଇଦରଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ବାମଗୋଡ, ପେଟ ଓ କାନ୍ଧରେ ୪ଟି ଗୁଳି ବାଜିବାରୁ ସେ ଟଳି ପଡିଥିଲେ। ସଙ୍ଗେ ସଙ୍ଗେ ପୋଲିସ ଟିମ୍‌ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତରୀ ଟିମ୍‌ ଚିକିତ୍ସା କରିଥିଲେ। କିଛି ସମୟ ପରେ ହାଇଦରଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share