ବାରିପଦା ଅଫିସ,୩ା୯- ମୁଢ଼ିରେ କୀଟନାଶକ ଗୋଳାଇ ଖାଇ ଗୋଟିଏ ପରିବାରର ୪ ଶିଶୁ ଗୁରୁତର ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ବାରିପଦା ସ୍ଥିତ ପିଆର୍ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ପ୍ରତାପପୁର ପଞ୍ଚାୟତ ଅଧୀନ ବରପଡ଼ା ଗ୍ରାମରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି।
ଅପରାହ୍ନରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ଜଗନ୍ନାଥ ନାଏକଙ୍କ ଝିଅ ନମିତା(୮), ପୁଅ ବାଦଲ(୬) ଓ ତାଙ୍କ ଭାଇ ସରୋଜ ନାଏକଙ୍କ ଝିଅ ରୀମା(୫) ଏବଂ ପୁଅ ସତ୍ୟବ୍ରତ(ଦେଢ଼ବର୍ଷ) ଚାଷ ଜମିରେ ବ୍ୟବହାର ପାଇଁ ଘରେ ରଖାଯାଇଥିବା କୀଟନାଶକକୁ ଭୁଲବଶତଃ ମୁଢ଼ିରେ ଗୋଳାଇ ଖାଇ ଦେଇଥିଲେ। ପରିବାର ଲୋକେ ସନ୍ଧ୍ୟାରେ ଘରକୁ ଫେରି ସେମାନେ ଅସୁସ୍ଥ ହୋଇ ପଡ଼ିଥିବା ଜାଣି ଡାକ୍ତରଖାନା ନେଇଥିଲେ। ସେଠାରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।