Categories: ଜାତୀୟ

ରାମମନ୍ଦିର ଆନ୍ଦୋଳନର ୪ ମହାରଥୀ ଏବେ ରାଜନୀତିରୁ ଦୂରରେ

ନୂଆଦିଲ୍ଲୀ, ୪।୮: ରାମମନ୍ଦିରର ଭୂମି ପୂଜନ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି। ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଭୂମି ପୂଜନ କାର୍ଯ୍ୟର ଶୁଭାରମ୍ଭ ହେବ। ତେବେ ଦିନେ ରାମମନ୍ଦିର ଆନ୍ଦୋଳନର ଚର୍ଚ୍ଚିତ ଚେହେରା ପାଲଟି ଥିବା ୪ ମହାରଥୀ ଏବେ ରାଜନୀତିରୁ ଦୂରରେ ରହି ଯାଇଛନ୍ତି। ଭାଜପାର ପିତାମହ ବୋଲାଉଥିବା ଲାଲ୍‌କୃଷ୍ଣ ଆଡଭାଣୀଙ୍କ ସହିତ ମୁରଲୀମନୋହର ଜୋଷୀ, ଉମା ଭାରତୀ ଏବଂ କଲ୍ୟାଣ ସିଂଙ୍କର ଏବେ ସାମ୍ପ୍ରତିକ ରାଜନୀତିରେ କୌଣସି ଭୂମିକା ନାହିଁ। ୧୯୯୦ରେ ଦେଶରେ ରାମ ଲହର ସୃଷ୍ଟି କରି ରଥଯାତ୍ରା ଆରମ୍ଭ କରିଥିବା ଆଡଭାଣୀ ଏବଂ ଜୋଷୀ ଭୂମି ପୂଜନ କାର୍ଯ୍ୟରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେବେ। ଉମା ଭାରତୀ ଅଯୋଧ୍ୟା ଯାତ୍ରା କରିଥିଲେ ମଧ୍ୟ ଉତ୍ସବରେ ଯୋଗ ନ ଦେଇ ପରେ ରାମଲଲାଙ୍କ ଦର୍ଶନ କରିବେ ବୋଲି କହିଛନ୍ତି। ସେହିପରି ୧୯୯୨ ବିବାଦୀୟ ନିର୍ମାଣ ସମୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କଲ୍ୟାଣ ସିଂ ଭୂମି ପୂଜନ ନେଇ ଉତ୍ସାହିତ ରହିଛନ୍ତି। ମାତ୍ର ଉତ୍ସବରେ ସେ ଯୋଗଦେବେ ନାହିଁ। ଅପରପକ୍ଷରେ ରାମମନ୍ଦିର ଏଜେଣ୍ଡାକୁ ଆଗକୁ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ପି.ଭି ନରସିଂହ ରାଓ ଏବଂ ବିଶ୍ୱ ହିନ୍ଦୁ ପରିଷଦର ଅଶୋକ ସିଙ୍ଘଲ ଏବେ ଦୁନିଆରେ ନାହାଁନ୍ତି।

Share