
ମାଲକାନଗିରି,୬ା୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍ମା ପୋଲିସ ଦୁଇଟି ସ୍ଥାନରୁ ୪ ମାଓବାଦୀଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଚିନ୍ତାଗୁଫା ପୋଲିସ ଡିଆର୍ଜି ବାହିନୀ ମିଳିତ ଭାବେ ତାଡମେଟଲା ଓ ଆଖପାଖ ଅଞ୍ଚଳରେ କୋମ୍ବିଂ କରିଥିଲେ । ଏହି ସମୟରେ ତାଡମେଟଲା ଗ୍ରାମ ନିକଟ ଜଙ୍ଗଲ ଓ ପାହାଡ ପାଖରେ କେତେକ ସନ୍ଦିଗ୍ଧ ବ୍ୟକ୍ତି ଥିବା ଦେଖିବାକୁ ପାଇଥିଲେ । ତେବେ ଉକ୍ତ ବ୍ୟକ୍ତିମାନେ ପୋଲିସକୁ ଦେଖି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରଥିଲା । ପଚରାଉଚରା ପରେ ସେମାନେ ସୋଡି ଦୁଲା ଓ ମାଡବି ବୁଦରା ବୋଳି ନିଜ ପରିଚୟ ଦେଇଥିଲେ।
ଏହି ଦୁଇଜଣ ଜନତାନା ସରକାର ମାଓବାଦୀ ସଂଗଠନର ଉପାଧ୍ୟକ୍ଷ ଓ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି । ଏହି ଦୁଇଜଣ ବିସ୍ଫୋଟକ ସାମଗ୍ରୀ ରପ୍ତାନି ଓ ଘଟଣାସ୍ଥଳରେ ଖଞ୍ଜିବା ଆଦି କାର୍ଯ୍ୟରେ ଜଡିତ ଥିବାରୁ ଏମାନଙ୍କ ନାମରେ ମାମଲା ରୁଜୁ ହୋଇଛି। ଗୁରୁବାର ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସେହିପରି ସୁକ୍ମା ପୋଲିସ ଓ ସୁରକ୍ଷା କର୍ମୀମାନେ କେରଲାପାଲ ଥାନା ଅଧୀନ ଗଡଗଡପାରା ଅଞ୍ଚଳରେ ସର୍ଚ୍ଚ ଅପରେଶନ ବେଳେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ପାଇ ଗିରଫ କରିଥିଲେ। ସେମାନେ ହେଲେ ମୁଚାକୀ ଦେବା ଓ ମୁଚାକି ଜଗା। ପଚରାଉଚୁରା ପରେ ସେମାନେ ମାଓବାଦୀ ସଂଗଠନର ସଦସ୍ୟ ବୋଲି କହିଥିଲେ। ତାଙ୍କ ପାଖରୁ ୩ କିଲୋଗ୍ରାମର ଗୋଟିଏ ଟିଫିନ ବୋମା, ଆଇଇଡି, ଦୁଇଟି ଡିଟୋନେଟର, କୋଡେକ୍ସ ତାର ଇତ୍ୟାଦି ଜବତ କରାଯାଇଛି। ଗିରଫ ଦୁଇ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।