ନିଜ ଦେଶକୁ ଫେରିବାକୁ ଚାହୁଁନାହାନ୍ତି ଏହି ୪ କ୍ରିକେଟର୍‌

ଲଣ୍ଡନ,୯।୨: ଆଫଗାନିସ୍ତାନର ଅଣ୍ଡର -୧୯ ବିଶ୍ୱକପ ଦଳର ଚାରିଜଣ ଖେଳାଳି ନିଜ ଦେଶକୁ ଫେରିବାକୁ ମନା କରି ଦେଇଛନ୍ତି। ୱେଷ୍ଟଇଣ୍ଡିଜରେ ବିଶ୍ୱକପ ଖେଳିବା ପରେ ଏହି ଚାରିଜଣ ଖେଳାଳି ଆଫଗାନିସ୍ତାନ ବଦଳରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଏହି ଚାରିଜଣ ସଦସ୍ୟ ବ୍ରିଟେନରେ ଆଶ୍ରୟ ନେବେ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଣ୍ଡର -୧୯ ବିଶ୍ୱକପରେ ଆଫଗାନିସ୍ତାନ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଛି। ଏହି ଚାରିଜଣ ଖେଳାଳି ଏବେ ଲଣ୍ଡନରେ ଅଛନ୍ତି ଏବଂ ସେମାନଙ୍କର ଭିସା ଫେବୃଆରୀ ୮ରେ ସମାପ୍ତ ହେବ। ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏହି ବିଷୟରେ ଆନୁଷ୍ଠାନିକ ଭାବେ ମନ୍ତବ୍ୟ ଦେଇନାହିଁ। ତେବେ ଅନେକ ଖେଳାଳି ଚାରି ଦେଶରୁ ନିଜ ଦେଶକୁ ଫେରିବାକୁ ଦାବି କରିଛନ୍ତି। ବ୍ରିଟେନର ସରକାରୀ ନିୟମ ଅନୁଯାୟୀ, ଟ୍ରାଞ୍ଜିଟ ଭିସା ଥିବା ବ୍ୟକ୍ତି ଦେଶରେ ୪୮ ଘଣ୍ଟାରୁ ଅଧିକ ସମୟ ରହିପାରିବେ ନାହିଁ।
ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପୂର୍ବତନ ରାଷ୍ଟ୍ରପତି, ଅମଲାତନ୍ତ୍ର, କ୍ରୀଡ଼ାବିତ୍‌ ତଥା ସାଧାରଣ ନାଗରିକଙ୍କ ସମେତ ଏକ ମିଲିୟନରୁ ଅଧିକ ଆଫଗାନିସ୍ତାନ ନାଗରିକ ଦେଶ ଛାଡି ଚାଲିଯାଇଥିଲେ। ଆଫଗାନିସ୍ତାନର ପୂର୍ବତନ ଖେଳାଳି ରଏସ ଅହମ୍ମଦଜାଇ କହିଛନ୍ତି,ଖେଳାଳିମାନେ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବେ ଏବଂ ଦେଶକୁ ଫେରିବେ ବୋଲି ସେ ଆଶା କରୁଛନ୍ତି। ଅହମ୍ମଦାଇ ବିଶ୍ୱକପ ସମୟରେ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ।

Share