ଶ୍ରୀନଗର,୬।୨: ଜମ୍ମୁ-କଶ୍ମୀରରେ 4G ମୋବାଇଲ ଇଣ୍ଟରନେଟ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ଶୁକ୍ରବାର ହଟାଇ ଦିଆଯାଇଛି। ଦୀର୍ଘ ୧୮ମାସ ପରେ ଏହି ସେବା ରାଜ୍ୟରେ ଲାଗୁ ହୋଇଛି। ଛାତ୍ରୀଛାତ୍ରଙ୍କ ଅନ୍ଲାଇନ ପାଠପଢାରେ ବ୍ୟାଘାତ ହେଉଥିବାରୁ କେନ୍ଦ୍ର ସରକାର 4G ମୋବାଇଲ ଇଣ୍ଟରନେଟ ସେବା ଚାଲୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପର୍କରେ ଜମ୍ମୁ-କଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କାନସାଲ ଟୁଇଟ କରି ଜଣାଇଛନ୍ତି। ସୂଚନା ଯୋଗ୍ୟ, ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ହେଲେ ୨୦୨୦ ଜାନୁୟାରୀ ୨୫ରେ 2G ସେବା ଚାଲୁ କରାଯାଇଥିଲା।