Categories: ଜାତୀୟ

ଏଲ୍‌ଏସିରେ ୧୧ ଦିନରେ ୪ ଥର ଗୁଳି ବିନିମୟ

ନୂଆଦିଲ୍ଲୀ, ୧୬।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ ଏଲ୍‌ଏସିରେ ୪ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୨୯ରେ ପୋଙ୍ଗଙ୍ଗ୍‌ର ଦକ୍ଷିଣ ଅଞ୍ଚଳର ଚୁଶୁଲରେ ଚାଇନା ସୈନ୍ୟ ସୀମାର ଉଲ୍ଲଂଘନ କରିଥିଲେ। ଭାରତୀୟ ଯବାନ ଏହାର ବିରୋଧ କରିଥିଲେ। ଚାଇନା ସୈନ୍ୟ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଭାରତୀୟ ଯବାନଙ୍କ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲା। ଏହାପରେ ଅଗଷ୍ଟ ୩୧ରେ ଫାଙ୍କା ଗୁଳିଚାଳନା ସହିତ ମୁହାଁମୁହିଁ ଗୁଳିବିନିମୟ ହୋଇଥିଲା। ଏହି ସମୟରେ ଦୁଇପକ୍ଷଙ୍କ ମଧ୍ୟରେ ଲାଇଟ୍‌ ମେସିନ୍‌ ଗନ୍‌ ଏବଂ ଅସାଲ୍ଟ ରାଇଫଲର ବ୍ୟବହାର କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୧ରେ ପୋଙ୍ଗଙ୍ଗ୍‌ ତ୍ସୋ ନିକଟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ସେପ୍ଟେମ୍ବର ୭-୮ରେ ପୋଙ୍ଗଙ୍ଗ୍‌ର ଉତ୍ତର ଅଞ୍ଚଳରେ ଚାଇନା ସୈନ୍ୟ ସୀମାର ବାସ୍ତବିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଥିଲେ। ଭାରତୀୟ ଯବାନଙ୍କ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ଦୁଇପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଶାନ୍ତିର କଥା କହୁଥିବା ଚାଇନା ସୀମାରେ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଥିବାରୁ ବିବାଦର ସମାଧାନ ହୋଇ ପାରୁନାହିଁ। ସୀମାଚୁକ୍ତିର ବାରମ୍ବାର ଉଲ୍ଲଂଘନ କରି ଡ୍ରାଗନ ଏଲ୍‌ଏସିରେ ଦାଦାଗିରି ଜାରି ରଖିଛି। ସେପ୍ଟେମ୍ବର ୧୦ ମସ୍କୋ ବୈଠକ ପୂର୍ବରୁ ଏଲ୍‌ଏସିରେ ୧୦୦ରୁ୨୦୦ ରାଉଣ୍ଡ ଗୁଳି ବିନିମୟ ହୋଇଥିବା କୁହାଯାଉଛି।

Share