ନୂଆଦିଲ୍ଲୀ,୯।୭: ଦେଶରେ ପ୍ରଥମ ଥର ପାଇଁ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ କରୋନା ଟେଷ୍ଟ ୪ଥର ନେଗେଟିଭ୍ ଆସିଥିବା ସତ୍ତ୍ୱେ ତାଙ୍କ ଶରୀରରେ କରୋନା ଜୀବାଣୁ ବିରୁଦ୍ଧରେ ଆଣ୍ଟିବଡି ମିଳିଛି। ଏହି ଆଣ୍ଟିବଡି ମନୁଷ୍ୟ ଶରୀରରେ ସେତେବେଳେ ମିଳେ ଯେତେବେଳେ ସେ କରୋନା ସଂକ୍ରମିତ ଥାନ୍ତି। ଆଣ୍ଟିବଡି ଗଠନ ପାଇଁ ପ୍ରାୟ ପାଞ୍ଚରୁ ସାତ ଦିନ ଲାଗେ। ଏହି ଆଣ୍ଟିବଡି ରୋଗୀର ଶରୀରରେ ସଂକ୍ରମଣ ବିରୁଦ୍ଧରେ ଲଢିବା ପାଇଁ ସାହାଯ୍ୟ କରେ।
ଦିଲ୍ଲୀ ଏମ୍ସରେ ଜେରିଆଟ୍ରିକ୍ସ ବିଭାଗରେ ଜଣେ ମହିଳା ରୋଗୀଙ୍କୁ ଅନେକ ଦିନ ଭର୍ତ୍ତି କରାଯାଇଥିଲା। ୮୦ ବର୍ଷିଆ ବୃଦ୍ଧ ମହିଳାଙ୍କୁ ୧୫ ଦିନ ଧରି ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଦୁର୍ବଳତାର ଶିକାର ହୋଇଥିଲେ। ମହିଳାଙ୍କୁ କରୋନା ସଂକ୍ରମଣ ଆଶଙ୍କା ହେତୁ ଡାକ୍ତରମାନେ ୧୨ ଦିନ ମଧ୍ୟରେ ଚାରିଥର କରୋନା ଟେଷ୍ଟ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ସବୁ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହି ସମସ୍ତ ପରୀକ୍ଷା ଦିଲ୍ଲୀ ଏମ୍ସର ଅତ୍ୟାଧୁନିକ ସୁବିଧା ଥିବା ଏକ ଲାବ୍ରୋଟୋରିରେ କରାଯାଇଥିଲା। ବାରମ୍ବାର ନେଗେଟିଭ୍ ରିପୋର୍ଟ ଏବଂ ରୋଗୀର ଲକ୍ଷଣ ସମାନ ଥିବାରୁ ଡାକ୍ତରମାନେ ମଧ୍ୟ କିଛି ସମୟ ପାଇଁ ବିବ୍ରତ ହୋଇଥିଲେ। ଏହା ପରେ ଡାକ୍ତରମାନେ ରୋଗୀଙ୍କୁ କରୋନା ସଂକ୍ରମିତ ଭାବି ଚିକିତ୍ସା କରିଥିଲେ। ମହିଳାଙ୍କ ପଞ୍ଚମ ଥର ପାଇଁ ଆଣ୍ଟିବଡି ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।