ଗଞ୍ଜାମ,୨୮।୪(ଡି.ଏନ.ଏ.): ଗଞ୍ଜାମ ଜିଲା ମଲାଡ଼ ପଞ୍ଚାୟତ ପଣିବନ୍ଧ ଗ୍ରାମର ସୁନାଝିଅ ମନସ୍ବିନୀ ମହାରଣା ପୁଣି ଚମକିଛନ୍ତି। ସେ ଚଳିତ ମାସ ୨୦ରୁ ୨୪ ଯାଏ ଗୋଆର ହାୱାଲି ବିଚରେ ଅଲ ଇଣ୍ଡିଆ ବୋର୍ଡ ସେଲିଂ ଚାମ୍ପିୟନସିପ ପ୍ରତିଯୋଗିତା ଭାଗ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ଯୋଗୁ ତାଙ୍କୁ ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ପ୍ରେସ କ୍ଲବ, ଦିଗଦର୍ଶନ ୟୁଥ କ୍ଲବ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଣିବନ୍ଧ ଗ୍ରାମର ବାସିନ୍ଦା ଭାସ୍କର ମହାରଣା ଓ ପ୍ରମିଳାଙ୍କ ଝିଅ ମନସ୍ବିନୀ ହାଇସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ଖେଳକୁଦ ପ୍ରତି ଦୁର୍ବଳତା ରହିଥିଲା। ପ୍ରଧାନ ଶିକ୍ଷୟତ୍ରୀ ସୁଭାସିନୀ ସାହୁଙ୍କ ଠାରୁ ପ୍ରଥମେ ପ୍ରେରଣା ପାଇ ଆନ୍ତର୍ଜାତୀୟ ସମୁଦ୍ର ବୁଡାଳି ସବୀର ବକ୍ସଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ନେଇଥିଲେ। ୨୦୧୩ରେ ଦୁଃସାହସିକ ନୌକା ଚାଳନା ପ୍ରତିଯୋଗିତା ଉଇଣ୍ଡ ସର୍ପିଙ୍ଗରେ ଭାଗନେଇ ଲଗାତାର ୧୩ ସ୍ବର୍ଣ୍ଣ ପଦକ ଜାତୀୟ ସ୍ତରରେ ହାସଲ କରି ଜଳ କ୍ରୀଡ଼ା ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ପରେ ୨୦୧୫ରେ ବ୍ୟାଂକଙ୍କରେ ଓପନ ସେଲିଂ ଚାମ୍ପିୟନସିପରେ ଆନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ। ୨୦୨୧୭-୧୮ରେ ମଧ୍ୟ ବ୍ରୋଞ୍ଜ ପଦକ ବିଜେତା ହୋଇଥିଲେ। ତେବେ କରୋନା ପ୍ରଭାବ ଏବଂ ବୈବାହିକ ଜୀବନରେ କୁନି ଝିଅର ଲାଳନ ପାଳନ ଯୋଗୁ ଚଳିତ ମାସରେ ୪ବର୍ଷ ବ୍ୟବଧାନରେ ପୁଣି ଥରେ ଓଡ଼ିଶାର ଏକ ମାତ୍ର ଝିଅ ଭାବେ ନୌଚାଳନା ପ୍ରତିଯୋଗିତାରେ ଭାଗ ନେଇ ୧୨ ରାଉଣ୍ଡରେ ରୌପ୍ୟ ପଦକ ହାସଲ କରିଛନ୍ତି ମନସ୍ବିନୀ। ଆସନ୍ତା ୯ରେ ମୁମ୍ବାଇରେ ପୁଣି ଏକ ପ୍ରତିଯୋଗିତାରେ ଭାଗ ନେବେ ବୋଲି କହିଛନ୍ତି ମନସ୍ବିନୀ। ତାଙ୍କ ପରି ଅନେକ ମନସ୍ବିନୀ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି କହନ୍ତି ମନସ୍ବିନୀ। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଝିଅମାନଙ୍କୁ ପ୍ରଶିକ୍ଷଣ ପାଇଁ ତାଲିମ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।