କୋପେନହେଗେନ, ୨୩।୬ : ପୃଥିବୀରେ ପ୍ରାୟ ୩ ବର୍ଷ ଧରି କରୋନା ମହାମମାରୀ ସଂକ୍ରମଣ ଜାରି ରହିଛି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ କୋଭିଡ -୧୯ ଟିକା ପ୍ରୟୋଗ କରାଯାଉଛି। କିନ୍ତୁ ଏହା ମଧ୍ୟ ଅଧିକ ସମୟ କାମ କରୁନାହିଁ । ଏଭଳି ପରିସ୍ଥିତିରେ ଭାରତ ସମେତ ଅନେକ ଦେଶ ବୁଷ୍ଟର ଡୋଜ ଦେବା ଆରମ୍ଭ କରି ଦେଇଛନ୍ତି।
ଦ୍ୱିତୀୟ ଡୋଜର ୯୦ ଦିନ ପରେ ଏହା ଦିଆଯାଉଛି । ଏବେ ଡେନମାର୍କ ସେଶରେ ଟିକାର ଚତୁର୍ଥ ଡୋଜ୍ ଦେବା ପାଇଁ ପ୍ରସ୍ତୁତି ସମାପ୍ତ କରିଛି । ଦେଶର, ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଶୀଘ୍ର କୋଭିଡ ଟିକାର ଚତୁର୍ଥ ଡୋଜ୍ ଦିଆଯିବ।
କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଏହି ରଣନୀତି ଆପଣାଯାଇଛି ବୋଲି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକସନ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ କୋଭିଡ ସଂକ୍ରମଣ ଏକ ନିମ୍ନ ସ୍ତରରେ ରହିଛି। କିନ୍ତୁ ନିକଟ ଅତୀତରେ, କରୋନାର ନୂତନ ଭାରିଆଣ୍ଟ ଓମିକ୍ରନର ସବ ଭାରିଆଣ୍ଟ ବିଏ.୫ ମାମଲାରେ ବୃଦ୍ଧି ଘଟିଛି। ଏହା ଅନ୍ୟ ଭାରିଆଣ୍ଟ୍ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ। ସେଥିପାଇଁ ଟିକାର ଚତୁର୍ଥ ଡୋଜ୍ ପ୍ରଦାନ ଆରମ୍ଭ ହେଉଛ ବୋଲି ସେ କହିଛନ୍ତି।
ଡେନମାର୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓମିକ୍ରନ ସଂକ୍ରମିତ ୯୦ ପ୍ରତିଶତ ଆକ୍ରାନ୍ତ କରୋନା ଟିକାନ୍ର ଦୁଇଟି ଡୋଜ କିମ୍ବା ବୁଷ୍ଟର୍ ସଟ ନେଇ ସାରିଛନ୍ତି। ଦେଶରେ ବର୍ତ୍ତମାନ ନୂତନ ଭାରିଆଣ୍ଟର ୪୧,୩୪୨ ମାମଲା ରହିଛି। ସେଥିମଧ୍ୟରୁ ୨୯,୭୮୧ ଜଣ ଲୋକ ଟିକା ଗ୍ରହଣ କରିଛନ୍ତି। ତଥ୍ୟ ଅନୁଯାୟୀ, ଜର୍ମାନୀ ଏବଂ ଆମେରିକାରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳିଛି।
ଜର୍ମାନୀ ଏବଂ ଆମେରିକାରେ ମଧ୍ୟ ଉଭୟ ଡୋଜ ନେଇ ଥିବା ବ୍ୟକ୍ତି ଅଧିକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତଥ୍ୟ ଅନୁଯାୟୀ, ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ପ୍ରତିଶତ ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି। ସେହିପରି କୌଣସି ଡୋଜ୍ ନେଇ ନଥିବା ୪ ପ୍ରତିଶତ ଲୋକ ଓମିକ୍ରନ୍ ଭାରିଆଣ୍ଟ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି)ର ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ କରୋନା ଟିକା ନେଇଛନ୍ତି।