ବିଶ୍ୱରେ ଚତୁର୍ଥ ଲହର

ନୂଆଦିଲ୍ଲୀ, ୨୫।୧୨(ପି.ଟି.): ବିଶ୍ୱ ଏବେ କୋଭିଡ୍‌ ମହାମାରୀର ଚତୁର୍ଥ ଲହରକୁ ସାମ୍‌ନା କରୁଥିବା ନେଇ ଶୁକ୍ରବାର କେନ୍ଦ୍ର ସରକାର ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ଏଭଳି ସମୟରେ ମହାମାରୀକୁ ନେଇ ଲୋକେ ଖାମଖିଆଲି ନ ହେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗହଳିଠାରୁ ଦୂରେଇ ରହିବା, ଆବଶ୍ୟକ ନ ଥିଲେ ଭ୍ରମଣରେ ନ ଯିବା ଏବଂ କରୋନା ସତର୍କତା ନିୟମ ପାଳନ କରିବା ଉପରେ କେନ୍ଦ୍ର ସରକାର ଜୋର୍‌ ଦେଇଛନ୍ତି। ଏଥିସହିତ କୋଭିଡ୍‌ ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ବିଶ୍ୱରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବଢ଼ିଚାଲିଛି। ଏବେ ଏହା ୧୦୮ ଦେଶକୁ ବ୍ୟାପିଲାଣି। ଭାରତରେ ଓମିକ୍ରନ୍‌ ସଂକ୍ରମଣ ୩୬୦ରେ ପହଞ୍ଚତ୍ଲାଣି । ଗୁରୁବାର ସାରା ବିଶ୍ୱରେ କୋଭିଡ୍‌-୧୯ ସଂକ୍ରମଣ ୯ ଲକ୍ଷ ରେକର୍ଡ କରାଯାଇଛି। ତେଣୁ ମହାମାରୀର ନୂଆ ଲହର ଆସିଥିବା ସ୍ପଷ୍ଟ ହୋଇଛି ବୋଲି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି। ଯଦିଓ ୟୁରୋପ, ଉତ୍ତର ଆମେରିକା ଓ ଆଫ୍ରିକା ତୁଳନାରେ ଏସିଆରେ ନୂଆ ମାମଲା ସଂଖ୍ୟା କମ୍‌ ରହିଛି, ତଥାପି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଭାରତରେ ଗତ ୪ ସପ୍ତାହ ହେଲା ଦୈନିକ କୋଭିଡ୍‌ ସଂକ୍ରମଣ ପ୍ରାୟ ୭,୦୦୦ ରହୁଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨ଟି ଲହର ଅନୁଭୂତ ହୋଇଛି। ପ୍ରଥମ ଲହର ୨୦୨୦ ସେପ୍ଟେମ୍ବରରେ ଏବଂ ଦ୍ୱିତୀୟ ଲହର ୨୦୨୧ ମେ’ରେ ଶୀର୍ଷ ଛୁଇଁଥିଲା। ଏବେ ବିଶ୍ୱରେ ପଜିଟିଭିଟି ହାର ୬.୧ ପ୍ରତିଶତ ଥିବାବେଳେ ଭାରତରେ ୫.୩ ପ୍ରତିଶତ ରହିଛି।
ଭାରତରେ ଚିହ୍ନଟ ୩୬୦ ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ ୧୨୧ ଜଣଙ୍କର ବିଦେଶ ଭ୍ରମଣ ହିଷ୍ଟ୍ରି ରହିଛି। ଅନୁଧ୍ୟାନ କରାଯାଇଥିବା ୧୮୩ ମାମଲା ମଧ୍ୟରୁ ୯୧ ଜଣ କୋଭିଡ୍‌ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ଏବଂ ୩ ଜଣ ବୁଷ୍ଟର ଡୋଜ୍‌ ନେଇଛନ୍ତି। ୭୦ ପ୍ରତିଶତ ମାମଲାରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ସଂକ୍ରମିତଙ୍କ ମଧ୍ୟରୁ ୬୧ ପ୍ରତିଶତ ପୁରୁଷ ବୋଲି ସରକାର ସୂଚନା ଦେଇଛନ୍ତି। ଡେଲ୍ଟା ତୁଳନାରେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ରୁତ ସଂକ୍ରମିତ ହେଉଛି। ଗୋଷ୍ଠୀ ସଂକ୍ରମଣ ଅଞ୍ଚଳରେ ଏହା ୧.୫ରୁ ୩ ଦିନ ମଧ୍ୟରେ ଦ୍ୱିଗୁଣିତ ହେଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି।
କେରଳ ଓ ମିଜୋରାମରେ ସଂକ୍ରମଣ ହାର ଅଧିକ ରହିଛି। ଦେଶର ୨୦ଟି ଜିଲାରେ ସାପ୍ତାହିକ ପଜିଟିଭିଟି ହାର ୫ରୁ ୧୦ ପ୍ରତିଶତ ଥିବାବେଳେ ୨ ଜିଲାରେ ୧୦ ପ୍ରତିଶତରୁ ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ଭାରତର ପ୍ରାୟ ୬୧ ପ୍ରତିଶତ ସାବାଳକ କୋଭିଡ୍‌ ଟିକାର ଉଭୟ ଡୋଜ୍‌ ନେଇଥିବାବେଳେ ୮୯ ପ୍ରତିଶତ ପ୍ରଥମ ଡୋଜ୍‌ ନେଇଛନ୍ତି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ ସରକାର ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଦେଶର ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଓମିକ୍ରନ୍‌ ବ୍ୟାପିଲାଣି। ବର୍ତ୍ତମାନ ସୁଦ୍ଧା ୩୬୦ ଜଣ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୪ ଜଣ ସୁସ୍ଥ ହେଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୮୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀରେ ୬୭, ତେଲଙ୍ଗାନାରେ ୩୮, ତାମିଲନାଡୁରେ ୩୪, କର୍ନାଟକରେ ୩୧, ଗୁଜରାଟରେ ୩୦, କେରଳରେ ୨୭ ଏବଂ ରାଜସ୍ଥାନରେ ୨୨ ସଂକ୍ରମିତ ହୋଇଛନ୍ତି। ହରିୟାଣା, ଓଡ଼ିଶା, ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଚଣ୍ଡିଗଡ଼, ଲଦାଖ ଏବଂ ଉତ୍ତରାଖଣ୍ଡରେ ହାରାହାରି ସଂକ୍ରମଣ ୧ରୁ ୪ ମଧ୍ୟରେ ରହିଛି।

Share