କରୋନାର ଚତୁର୍ଥ ଲହର ଜୁନ୍‌ ୨୨ରୁ ଆରମ୍ଭ !…

ନୂଆଦିଲ୍ଲୀ,୨୭।୨ : ଦେଶରେ କରୋନା ମହାମାରୀର ତୃତୀୟ ଲହର ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। ତେବେ ବିଶେଷଜ୍ଞ ଏବେ ଚତୁର୍ଥ ଲହରର ପୂର୍ବାନୁମାନ କରିଛନ୍ତି। ଗବେଷକମାନେ କହିଛନ୍ତି ଯେ ଦେଶରେ ଚତୁର୍ଥ ଲହର ଜୁନ ୨୨ ରୁ ଆରମ୍ଭ ହେବ। ଅନୁସନ୍ଧାନ ରିପୋର୍ଟରେ ଏହା କୁହାଯାଇଛି ଯେ ଚତୁର୍ଥ ଲହରର ପ୍ରଭାବ ୨୪ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଜାରି ରହିପାରେ।

ତେବେ ଚତୁର୍ଥ ଲହର କେତେ ଗୁରୁତର ହେବ ସେ ବିଷୟରେ କିଛି କୁହାଯାଇ ନାହିଁ। କରୋନା ଭୂତାଣୁର ନୂତନ ଭାରିଆଣ୍ଟ୍‌ ପ୍ରକାଶ ପାଇବା ପରେ ଏହାର ଗମ୍ଭୀରତା ଜଣା ପଡିବ।

ଆଇଆଇଟି କାନପୁରର ଗବେଷଶଙ୍କ ଦ୍ୱାରା ହୋଇଥିବା ଏହି ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଛି। ଦେଶରେ କୋଭିଡ -୧୯ଲହର ବିଷୟରେ ଏହି ଗବେଷକଙ୍କ ଦ୍ୱାରା କରାଯାଇଥିବା ପୂର୍ବାନୁମାନ ଏହା ପୂର୍ବରୁ ଦୁଇଥର ସତ୍ୟ ସାବ୍ୟସ୍ତ ହୋଇଛି। ବିଶେଷକରି ତୃତୀୟ ଲହରରେ ଏହା ବହୁ ପରିମାଣରେ ସଠିକ ହୋଇଛି।

ଏହି ଗବେଷଣା ଆଇଆଇଟି କାନପୁରର ଗଣିତ ଏବଂ ପରିସଂଖ୍ୟାନ ବିଭାଗର ଏସ୍‌.ପି. ରାଜେଶ ଭୋଇ, ସୁଭ୍ରା ଶଙ୍କର ଧର ଏବଂ ଶଲଭଙ୍କ ପକ୍ଷରୁ କରାଯାଇଛି। ଗବେଷଣାରେ ସେମାନେ ପରିସଂଖ୍ୟାନିକ ମଡେଲ ବ୍ୟବହାର କରି କହିଛନ୍ତି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ୯୩୬ ଦିନ ପରେ କରୋନାର ଚତୁର୍ଥ ଲହର ଆସିପାରେ।

ଆଇଆଇଟି କାନପୁରର ଏହି ରିପୋର୍ଟ ଅନୁଯାୟୀ, କୋଭିଡ -୧୯ର ଚତୁର୍ଥ ଲହର ଅତି କମରେ ଚାରିମାସ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖନୀୟ ବିଷୟ ହେଉଛି, ଏହି ପରିସଂଖ୍ୟାନିକ ଭବିଷ୍ୟବାଣୀ ୨୪ ଫେବୃଆରୀରେ ପ୍ରିଣ୍ଟର୍‌ ସର୍ଭର ମେଡ୍‌ରକ୍ସିଭ୍‌ରେ ପ୍ରକାଶିତ ହୋଇଥିଲା। ଚତୁର୍ଥ ଲହରର ଗ୍ରାଫ ଅଗଷ୍ଟ ୧୫ରୁ ଅଗଷ୍ଟ ୩୧ ମଧ୍ୟରେ ଶୀର୍ଷରେ ପହଞ୍ଚିବ। ଏହା ପରେ ଏହା କମିବା ଆରମ୍ଭ କରିବ । ଏହା ସହିତ, ଆଶା କରାଯାଉଛି ଯେ କରୋନାର ଚତୁର୍ଥ ଲହରରେ ବୁଷ୍ଟର ଡୋଜ ସହିତ ଟିକାକରଣର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

ଗବେଷକ ଦଳ ଚତୁର୍ଥ ଲହରର ଶୀର୍ଷ ସମୟ ବ୍ୟବଧାନକୁ ଗଣିବା ପାଇଁ ‘ବୁଟ ଷ୍ଟ୍ରାପ’ ନାମକ ଏକ ପଦ୍ଧତି ବ୍ୟବହାର କରିଛନ୍ତି। ସେ କହିଛନ୍ତି ଯେ ଏହି ପଦ୍ଧତିକୁ ଅନ୍ୟ ଦେଶରେ ଚତୁର୍ଥ ତଥା ଅନ୍ୟ ଲହରର ପୂର୍ବାନୁମାନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।

Share