ଅଲିମ୍ପିକ୍ସ ପୂର୍ବରୁ ଫ୍ରାନ୍ସକୁ ଚିନ୍ତାରେ ପକାଇଛି ଛାରପୋକ, ଜାତୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ହେଲାଣି ଦାବି

ପ୍ୟାରିସ,୫।୧୦: ଆଜିକାଲି ବେଡବଗ ଛାରପୋକ ଆତଙ୍କ ସହ ଫ୍ରାନ୍ସ ସଂଘର୍ଷ କରୁଛି। ଫ୍ରାନ୍ସର ସବୁ ସ୍ଥାନରେ ଏହି ଛାରପୋକ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ଫ୍ରାନ୍ସର ପ୍ୟାରିସ ଏବଂ ମାର୍ସେଲ ସହର ଏହି ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏହି କାରଣରୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ପ୍ରାୟ ୧୦ମାସ ପୂର୍ବରୁ ଫ୍ରାନ୍ସରେ ଆରମ୍ଭ ହୋଇଥିବା ଛାରପୋକ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ଆସନ୍ତା ବର୍ଷ ପ୍ୟାରିସରେ ଅଲିମ୍ପିକ ଗେମ୍ସ ଆୟୋଜିତ ହେବାକୁ ଯାଉଥିବାରୁ ଫ୍ରାନ୍ସ ସରକାର ଏହାକୁ ନେଇ ଚିନ୍ତିତ ଅଛନ୍ତି।
ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଫ୍ରାନ୍ସର ହୋଟେଲ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନଗୁଡିକରେ ଛାରପୋକ ଦେଖିବାକୁ ମିଳିଥିଲା। ଧୀରେ ଧୀରେ ଏହା ଫ୍ରାନ୍ସର ସବୁଆଡେ ବ୍ୟାପିବାରେ ଲାଗିଲା। ବର୍ତ୍ତମାନ ଏହି ଛାରପୋକ ସିନେମା ହଲ, ଟ୍ରେନ, ବସ ଏବଂ ଘରେ ପ୍ରବେଶ କରିସାରିଲେଣି। ଛାରପୋକଜ ଏବଂ ମଶା ହଟାଇବାରେ ନିୟୋଜିତ କମ୍ପାନୀଗୁଡିକ ମଧ୍ୟ ଆଶା ଛାଡି ଦେଇଛନ୍ତି ଏବଂ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି ବୋଲି କହିଛନ୍ତି। ଅଲିମ୍ପିକ୍ସ ସମୟରେ ପ୍ୟାରିସକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ଦେଖି ଫ୍ରାନ୍ସ ସରକାର ଚିନ୍ତିତ ଅଛନ୍ତି। ଏହି କାରଣରୁ, ଫ୍ରାନ୍ସର ଲୋକମାନେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ୟାରିସର ଡେପୁଟି ମେୟର ଇମାନୁଏଲ ଗ୍ରେଗୋରୀ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନଙ୍କୁ ଏକ ଚିଠି ଲେଖି ଏହି ସମସ୍ୟା ବିରୋଧରେ ଜାତୀୟ କାର୍ଯ୍ୟ ଯୋଜନା କରିବାକୁ ଦାବି କରିଛନ୍ତି।

Share