
ଓ୍ବାଶିଂଟନ,୨୫।୨: ସୋମବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ବୈଠକରେ ସେ କହିଥିଲେ ଯେ ୟୁକ୍ରେନରେ ଯେକୌଣସି ଶାନ୍ତି ଚୁକ୍ତିନାମାରେ ସୁରକ୍ଷା ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ ହେବା ଉଚିତ ଏବଂ ଚେତାବନୀ ଦେଇଥିଲେ ଯେ ଶାନ୍ତିର ଅର୍ଥ ୟୁକ୍ରେନର ‘ଆତ୍ମସମର୍ପଣ’ ହୋଇପାରିବ ନାହିଁ। ମାକ୍ରଁ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ଆଗକୁ ବଢ଼ିବାର ଏକ ରାସ୍ତା ପ୍ରଦାନ କରିବ, ଯଦିଓ ଆଟଲାଣ୍ଟିକ ସମ୍ପର୍କରେ ଉତ୍ତେଜନା ଜାରି ରହିଛି। ରୁଷିଆ ଆକ୍ରମଣର ତୃତୀୟ ବାର୍ଷିକୀରେ ଟ୍ରମ୍ପ ଏବଂ ମାକ୍ରଁ ହ୍ବାଇଟ ହାଉସରେ ସାକ୍ଷାତ କରିଥିଲେ। ଦୁଇ ନେତା ୟୁକ୍ରେନକୁ ଶାନ୍ତିରକ୍ଷୀ ପଠାଇବା ଚିନ୍ତାଧାରାରେ ଅଗ୍ରଗତି ବିଷୟରେ କଥା ହୋଇଥିଲେ, ଯଦିଓ ମାକ୍ରଁ ୟୁକ୍ରେନ ପାଇଁ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଶାନ୍ତି ୟୁକ୍ରେନର ଆତ୍ମସମର୍ପଣର କାରଣ ହୋଇପାରିବ ନାହିଁ, ଟ୍ରମ୍ପଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମାକ୍ରଁ ଏହା କହିଥିଲେ। ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି କ୍ୱିଭରେ ୟୁରୋପୀୟ ନେତାମାନଙ୍କୁ ଭେଟି ‘ଏହି ବର୍ଷ’ ଶାନ୍ତି ପାଇଁ ନିବେଦନ କରିଥିଲେ। ଟ୍ରମ୍ପଙ୍କ ରୁଷିଆ ସମର୍ଥକ ମନୋଭାବ ଆଡକୁ ଗତି କରିବାର ସମ୍ଭାବନା ବୃଦ୍ଧି ପାଉଛି। ଟ୍ରମ୍ପ ଜେଲେନସ୍କିଙ୍କୁ ‘ନିର୍ବାଚନ ବିନା ଏକଛତ୍ରବାଦୀ’ ବୋଲି ମଧ୍ୟ କହିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ଯେ ଚୁକ୍ତି ହେଲେ ୟୁକ୍ରେନକୁ ଶାନ୍ତିରକ୍ଷୀ ପଠାଇବା ପ୍ରସ୍ତାବ ଉପରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ କାମ କରିବେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ମଧ୍ୟ ଖୁବ ଶୀଘ୍ର ଆମେରିକା ଗସ୍ତରେ ଯିବେ ଏବଂ ଗୁରୁବାର ହ୍ବାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟିବେ।
ମାକ୍ରନ କହିଛନ୍ତି, ‘ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବା ପରେ, ମୁଁ ନିଶ୍ଚିତ ଯେ ଏକ ଉପାୟ ମିଳିଯିବ।’ ୟୁକ୍ରେନରେ ଚାଲିଥିବା ସଂଘର୍ଷରେ ଶାନ୍ତି ପାଇଁ ଆମେରିକୀୟ ଅଧିକାରୀମାନେ ସୌଦି ଆରବରେ ଶୀର୍ଷ ରୁଷୀୟ କୂଟନୀତିଜ୍ଞଙ୍କୁ ଭେଟିଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ୱାଶିଂଟନ ଗସ୍ତରେ ଅଛନ୍ତି। ଏହି ଆଲୋଚନାଗୁଡ଼ିକ ୟୁକ୍ରେନ ଏବଂ ୟୁରୋପର ଅଂଶଗ୍ରହଣ ବିନା ହୋଇଥିଲା। ଟ୍ରମ୍ପ ଯେତେବେଳେ ରୁଷିଆ ସହିତ ପୁଣି କୂଟନୀତି ଆରମ୍ଭ କରିବାକୁ ପ୍ରସ୍ତୁତ ଥିଲେ, ସେତେବେଳେ ସେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସୋମବାର ଆମେରିକା ରାଷ୍ଟ୍ରପତି କହିଥିଲେ ଯେ ସେ ଯୁଦ୍ଧ ଶେଷ କରିବା ବିଷୟରେ ଆତ୍ମବିଶ୍ୱାସୀ।