Categories: ଖେଳ

ନକ୍‌ଆଉଟ୍‌ରେ ଫ୍ରାନ୍ସ

ଦୋହା (କାତାର), ୨୭।୧୧(ଏପି): ଡେନ୍‌ମାର୍କ ବିପକ୍ଷରେ ୨-୧ ଗୋଲରେ ବିଜୟ ହାସଲ କରି ଫ୍ରାନ୍ସ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଦଳପକ୍ଷରୁ ଦୁଇଟି ଯାକ ଗୋଲ୍‌ କିଲିଆନ୍‌ ଏମ୍‌ବାପେ ସ୍କୋର କରିଥିଲେ। ମ୍ୟାଚର ତିନୋଟି ଯାକ ଗୋଲ୍‌ ଦ୍ୱିତୀୟାର୍ଦ୍ଧରେ ସ୍କୋର ହୋଇଥିଲା। ଏମ୍‌ବାପେ ୬୧ତମ ମିନିଟ୍‌ରେ ସ୍କୋର କରି ତାଙ୍କ ଦଳକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ଡେନ୍‌ମାର୍କ ଡିଫେଣ୍ଡର ୬୮ତମ ମିନିଟ୍‌ରେ ହେଡର ଜରିଆରେ ଗୋଲ୍‌ ସ୍କୋର କରି ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ତେବେ ଏମ୍‌ବାପେ ୮୬ ତମ ମିନିଟ୍‌ରେ ତାଙ୍କର ଦ୍ୱିତୀୟ ତଥା ବିଜୟସୂଚକ ଗୋଲ୍‌ ସ୍କୋର କରିଥିଲେ। ଚାରିବର୍ଷ ପୂର୍ବେ ଫ୍ରାନ୍ସ ବିଶ୍ୱକପ୍‌ ଜିତିବା ବେଳେ ଏମ୍‌ବାପେ୍‌ ୪ ଗୋଲ୍‌ ସ୍କୋର କରିଥିଲେ। ତନ୍ମଧ୍ୟରେ ଫାଇନାଲରେ ଗୋଟିଏ ଗୋଲ ସାମିଲ। ଏହାକୁ ମିଶାଇ ଫ୍ରାନ୍ସ ତରଫରୁ ଖେଳି ୩୧ ଗୋଲ ସ୍କୋର କରିଛନ୍ତି। ଫ୍ରାନ୍ସ ଏହାର ଓପନିଂ ଗେମ୍‌ରେ ଅଷ୍ଟ୍ରେଲିଆକୁ ୪-୧ ଗୋଲ୍‌ରେ ପରାସ୍ତ କରିଥିବା ବେଳେ ଟ୍ୟୁନିସିଆ ବିପକ୍ଷରେ ଡେନ୍‌ମାର୍କ ଏହାର ମ୍ୟାଚ ଡ୍ର ରଖିଥିଲା। ଶନିବାର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଟ୍ୟୁନିସିଆକୁ ୧-୦ଗୋଲ୍‌ରେ ପରାସ୍ତ କରିଛି। ବୁଧବାର ଗ୍ରୁପ୍‌ ଡି’ର ଶେଷ ମ୍ୟାଚ ଗୁଡ଼ିକ ଖେଳାଯିବ। ସେଦିନ ଫ୍ରାନ୍ସ ବନାମ ଟ୍ୟୁନିସିଆ ଏବଂ ଅଷ୍ଟ୍ରେଲିଆ ବନାମ ଡେନମାର୍କ ମ୍ୟାଚ ଖେଳାଯିବ।

Share