ଭାରତୀୟ ଯାତ୍ରୀଙ୍କ ଧରି ଉଡ଼ାଣ ଭରିଲା ଫ୍ରାନ୍ସରେ ଅଟକ ଥିବା ବିମାନ

ନୂଆଦିଲ୍ଲୀ, ୨୫।୧୨: ଫ୍ରାନ୍ସରେ ଅଟକି ରହିଥିବା ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର (୨୨ ଡିସେମ୍ବର) ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନ ବନ୍ଦରରେ ଅଟକି ରହିଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିଲେ।

ଏହି ପ୍ରସଙ୍ଗରେ ଭାରତ ସରକାର ଫ୍ରାନ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଯଥାଶୀଘ୍ର ପରିସ୍ଥିତିର ସମାଧାନ ପାଇଁ ଫ୍ରାନ୍ସ ସରକାର ଏବଂ ଭାଟ୍ରି ବିମାନ ବନ୍ଦରକୁ ଧନ୍ୟବାଦ।

ରୋମାନିଆ ଏୟାରଲାଇନ୍ସ ଲିଜେଣ୍ଡ ଏୟାରଲାଇନ୍ସର ଓକିଲ ଲିଲିୟାନା ବକାୟୋକୋ କହିଛନ୍ତି ଯେ ବିମାନକୁ ଲିଜ୍ ଦେଇଥିବା ଏକ ସହଭାଗୀ କମ୍ପାନୀ ପ୍ରତ୍ୟେକ ଯାତ୍ରୀଙ୍କ ପରିଚୟପତ୍ର ଯାଞ୍ଚ କରିବା ପାଇଁ ଦାୟୀ ଏବଂ ବିମାନର ୪୮ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କ ପାସପୋର୍ଟ ସୂଚନା ବିମାନକୁ ପଠାଇଥିଲା। ସୂଚନାଯୋଗ୍ୟ ଫ୍ରାନ୍ସରେ ମାନବ ଚାଲାଣ ପାଇଁ ୨୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି।

ଘଟଣା ମୁତାବକ ରବିବାର (୨୪ ଡିସେମ୍ବର) ରେ ରୋମାନିଆ କମ୍ପାନୀ ‘ଲିଜେଣ୍ଡ ଏୟାରଲାଇନ୍ସ’ ଦ୍ୱାରା ପରିଚାଳିତ ଏ୩୪୦ ବିମାନକୁ ପୁଣି ଯାତ୍ରା କରିବାକୁ ଫ୍ରାନ୍ସ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରୁ ୩୦୩ ଜଣ ଯାତ୍ରୀଙ୍କ ସହ ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିବା ବେଳେ ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର (ଡିସେମ୍ବର ୨୨) ପ୍ୟାରିସର ୧୫୦ କିଲୋମିଟର ପୂର୍ବରେ ଥିବା ଭାଟ୍ରି ବିମାନ ବନ୍ଦରରେ ଅଟକ ରହିଥିଲା।

Share