ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଫ୍ରାନ୍ସର ସମର୍ଥନ…

ଜେନେଭା,୧୯।୧୧ : ବ୍ରିଟେନ ପରେ ଫ୍ରାନ୍ସ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ ମଧ୍ୟ ଉଠାଇଛି। ମିଳିତ ଜାତିସଂଘରେ ଫ୍ରାନ୍ସର ଡେପୁଟି ସ୍ଥାୟୀ ପ୍ରତିନିଧୀ ନାଥାଲି ବ୍ରଡହର୍ଷ୍ଟ କହିଛନ୍ତି ଯେ ସେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବରେ ଭାରତ, ଜର୍ମାନୀ, ବ୍ରାଜିଲ ଏବଂ ଜାପାନକୁ ସେ ସମର୍ଥନ କରୁଛନ୍ତି। ନୂତନ ଶକ୍ତିକୁ ବିଚାରକୁ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ତେଣୁ, ସେହି ଦେଶଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ ଯେଉଁମାନେ ଶକ୍ତିଶାଳୀ ଦୁନିଆରେ ସ୍ଥାୟୀ ସଦସ୍ୟତା ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ସକ୍ଷମ ଅଟନ୍ତି।

ଫ୍ରାନ୍ସ କହିଛି, ସୁରକ୍ଷା ପରିଷଦରେ ଆମର ସ୍ଥିତି ସ୍ଥିର ଏବଂ ସର୍ବବିଦିତ ରହିଛି।ତଥାପି, ଆମେ ଚାହୁଁ ସୁରକ୍ଷା ପରିଷଦର ବିଶ୍ୱର ଅଧିକ ପ୍ରତିନିଧୀ ହୁଅନ୍ତୁ, ଯାହା ଦ୍ୱାରା ଏହାର ପ୍ରାଧିକରଣ ଏବଂ କାର୍ଯ୍ୟକାରିତା ସୁଦଢ଼ ହୋଇ ପାରିବ।

ଏହାପୂର୍ବରୁ ବ୍ରିଟେନ ମଧ୍ୟ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଥିଲା। ଜାତିସଂଘରେ ବ୍ରିଟେନର ସ୍ଥାୟୀ ପ୍ରତିନିଧୀ ବାରବରା ଉଡୱାର୍ଡ ଭାରତ, ଜର୍ମାନୀ, ଜାପାନ ଏବଂ ବ୍ରାଜିଲ ପାଇଁ ନୂତନ ସ୍ଥାୟୀ ଆସନ ପାଇଁ ଆହ୍ନାନ କରିଛନ୍ତି। ବାରବରା କହିଛନ୍ତି ଯେ ବ୍ରିଟେନ ଦୀର୍ଘ ଦିନ ଧରି ସୁରକ୍ଷା ପରିଷଦର ସମ୍ପ୍ରସାରଣ ପାଇଁ ଦାବି କରିଆସୁଛି। ଆମେ ଭାରତ, ଜର୍ମାନୀ, ଜାପାନ ଏବଂ ବ୍ରାଜିଲ ପାଇଁ ନୂତନ ସ୍ଥାୟୀ ଆସନ ଏବଂ ଆଫ୍ରିକା ପାଇଁ ସ୍ଥାୟୀ ପ୍ରତିନିଧିତ୍ୱକୁ ସମର୍ଥନ କରୁଛୁ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଅଛନ୍ତି। ଏଥି ମଧ୍ୟରେ ଆମେରିକା, ରୁଷିଆ, ଚାଇନା, ଫ୍ରାନ୍ସ ଏବଂ ବ୍ରିଟେନ ଅନ୍ତର୍ଭୁକ୍ତ। ବିଶ୍ୱର ଜନସଂଖ୍ୟା ଏବଂ ଅର୍ଥନୀତି ଏବଂ ନୂତନ ଭୌଗୋଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ସ୍ଥାୟୀ ସଦସ୍ୟ ଦେଶ ସଂଖ୍ୟା ବୃଦ୍ଧି ପାଇଁ ଦାବ ହୋଇଆସିଛି।

Share