ପ୍ୟାରିସ,୨୧ ।୧୧: ଭାରତର ମିତ୍ର ଫ୍ରାନ୍ସ ପାକିସ୍ତାନ ସେନାକୁ ଏକ ବଡ ଝଟ୍କା ଦେଇଛି । ଫ୍ରାନ୍ସ ପାକିସ୍ତାନର ମିରାଜ ଫାଇଟର ଜେଟ୍, ଏୟାର ଡିଫେନ୍ସ ସିଷ୍ଟମ ଓ ଅଗୋସ୍ତା ୯୦ବି କ୍ଲାସର ସବମରିନକୁ ଅପଗ୍ରେଡ ନ କରିବାକୁ ନିଷ୍ପତ୍ତି ନେଇଛି । କୁହାଯାଉଛି କି ପୈଙ୍ଗାମ୍ବର ମୋହମ୍ମଦଙ୍କ କାର୍ଟୁନ ବିବାଦରେ ତୁର୍କିର ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କର ନିନ୍ଦା କରିଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ଫ୍ରାନ୍ସ ଏବେ ପାକିସ୍ତାନ ଯୁଦ୍ଧ ବିମାନର ଅପଗ୍ରେଡ ନ କରିବାକୁ ସ୍ଥିର କରିଛି । ଗୋଟିଏ ପଟେ ପାକିସ୍ତାନ ମିରାଜ ଭଳି ଫାଇଟର ଜେଟମାଧ୍ୟମରେ ସେନାର ଶକ୍ତି ବୃଦ୍ଧି କରିବାକୁ ଚାହିଁ ବସିଥିବା ବେଳେ ଫ୍ରାନ୍ସର ଏଭଳି ନିଷ୍ପତ୍ତି ଏବେ ତାକୁ ଚିନ୍ତାରେ ପକାଇବ ନିଶ୍ଚୟ ।