Advertisement
Categories: ଖେଳ

ଥୋମାସଙ୍କୁ ଫ୍ରାଙ୍କ୍‌ଲିନ୍‌ଙ୍କ ପରାମର୍ଶ

କିଙ୍ଗଷ୍ଟନ, ୨୮ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ଦିନ ତିଷ୍ଠି ରହିବାକୁ ହେଲେ ଓ୍ବେଷ୍ଟଇଣ୍ଡିଜ ସ୍ପିଡ୍‌ଷ୍ଟର ଓଶାନେ ଥୋମାସଙ୍କୁ ତାଙ୍କ ଓଜନ କମାଇବାକୁ ପଡ଼ିବ। ତା’ ନ ହେଲେ ସେ ବର୍ତ୍ତମାନ ଯେତେ ସ୍ପିଡ୍‌ ବୋଲିଂ କରିପାରୁଛନ୍ତି ତାହା ବଜାୟ ରଖିବା କଷ୍ଟକର ହେବ ବୋଲି ପୂର୍ବତନ ପେସ୍‌ ବୋଲର ଫ୍ରାଙ୍କ୍‌ଲିନ୍‌ ରୋଜ୍‌ କହିଛନ୍ତି। ରୋଜ୍‌ ୧୯୯୭ ରୁ ୨୦୦୦ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଖେଳି ୧୯ଟେଷ୍ଟରେ ୫୩ ଉଇକେଟ ଏବଂ ୨୭ ଅନ୍ତର୍ଜାତୀୟ ଦିନିକିଆରେ ୨୯ଉଇକେଟ ଅକ୍ତିଆର କରିଛନ୍ତି। ଆସନ୍ତା ମାସରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଥୋମାସ ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି। ରୋଜ୍‌ କହିଛନ୍ତି, ଥୋମାସଙ୍କ ସହିତ ଏପର୍ଯ୍ୟନ୍ତ ମୋର ଭେଟ ହୋଇ ନାହିଁ। କିନ୍ତୁ ସେ ନିଶ୍ଚୟ ଜଣେ ପ୍ରତିଭାସମ୍ପନ୍ନ ବୋଲର। ସେଇଥିପାଇଁ ଓ୍ବେଷ୍ଟଇଣ୍ଡିଜ ତାଙ୍କୁ ଇଂଲଣ୍ଡ ଟୁର୍‌ରେ ନେଇଛି। କିନ୍ତୁ ଏହି ବୋଲରଙ୍କୁ ଫିଟ୍‌ନେସ୍‌ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ୨୩ ବର୍ଷୀୟ ଥୋମାସ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି। କିନ୍ତୁ ୨୦ ଅନ୍ତର୍ଜାତୀୟ ଦିନିକିଆରେ ୨୭ ଉଇକେଟ ଏବଂ ୧୨ ଅନ୍ତର୍ଜାତୀୟ ଟି୨୦ରେ ୧୫ ଉଇକେଟ ହାସଲ କରିସାରିଛନ୍ତି। ଓଲ୍ଡ ଟ୍ରାଫୋର୍ଡଠାରେ ଓ୍ବେଷ୍ଟଇଣ୍ଡିଜର ଇଣ୍ଟରସ୍କ୍ବାଡ୍‌ ପ୍ରାକ୍ଟିସ ମ୍ୟାଚରେ ସେ ଦୁଇଟି ଇନିଂସରେ ମାତ୍ର ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପରିବେଶରେ ଥୋମାସଙ୍କର ଘଣ୍ଟାପ୍ରତି ୯୦ ମାଇଲ ବେଗରେ ବୋଲିଂ କରିବା ସାମର୍ଥ୍ୟ ରହିଛି। ହେଲେ ସେ ଯଦି ଓଜନ ନ କମାନ୍ତି ତେବେ ତାଙ୍କ ସ୍ପିଡ୍‌ ବଜାୟ ରଖିପାରିବେ ନାହିଁ ବୋଲି ରୋଜ୍‌ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel