Categories: ଖେଳ

ଫ୍ରାପାର୍ଟ ପ୍ରଥମ ମହିଳା ରେଫରି

ଦୋହା, ୧।୧୨ (ଏପି): ଫିଫା ବିଶ୍ୱକପ୍‌ (ପୁରୁଷ) ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ରେଫରି ମ୍ୟାଚ ପରିଚାଳନା କରିବାକୁ ଯାଉଛନ୍ତି। ସେ ହେଲେ ଫ୍ରାନ୍ସର ଷ୍ଟିଫେନି ଫ୍ରାପାର୍ଟ। ଗୁରୁବାର ଅଲ୍‌ବାୟଟ ଷ୍ଟାଡିୟମରେ ସେ ଜର୍ମାନୀ ଓ କୋଷ୍ଟାରିକା ମ୍ୟାଚ ପରିଚାଳନା କରିବେ। କେବଳ ସେତିକି ନୁହେଁ, ଫୁଟବଲ ପରିଚାଳନାର ସର୍ବୋଚ୍ଚ ସଂସ୍ଥା (ଫିଫା) ଏହି ମ୍ୟାଚରେ ଫ୍ରାପାର୍ଟଙ୍କୁ ସହଯୋଗ କରିବା ପାଇଁ ୨ ଜଣ ମହିଳା ରେଫରିଙ୍କୁ ମଧ୍ୟ ନିଯୁକ୍ତ କରିଛି।

ସେମାନେ ହେଲେ ବ୍ରାଜିଲର ନୁଏଜା ବେକ୍‌ ଓ ମେକ୍ସିକୋର କରେନ ଡିଆଜ ମେଡିନା। ଏହା ବ୍ୟତୀତ ୪ର୍ଥ ମହିଳା ମ୍ୟାଚ ଅଫିସିଆଲ ଭାବେ ଆମେରିକାର କାଥ୍ରିନ ନେସବିଟଙ୍କୁ ମଧ୍ୟ ଫିଫା ଦାୟିତ୍ୱ ଦେଇଛି। ତେଣୁ ପ୍ରଥମଥର ପାଇଁ ଏକ ବିଶ୍ୱକପ୍‌ରେ ୪ ଜଣ ଯାକ ମହିଳା ରେଫରି ମ୍ୟାଚ ପରିଚାଳନା ଦାୟିତ୍ୱରେ ରହିବେ। ନେସବିଟ ଭିଡିଓ ରିଭ୍ୟୁ ଟିମ୍‌ର ଅଫ୍‌ସାଇଡ୍‌ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ ନିର୍ବାହ କରିବେ। କାତାର ବିଶ୍ୱକପ୍‌ ପାଇଁ ଫିଫା ଆଉ ୨ ଜଣ ମହିଳା ରେଫରି ର୍ବାଣ୍ଡାର ସାଲିମା ମୁକାନସାଙ୍ଗା ଓ ଜାପାନର ୟୋଶିମି ୟାମାଶିତାଙ୍କୁ ଏହାର ପ୍ୟାନେଲରେ ସାମିଲ କରିଛି।

ଚଳିତ ବିଶ୍ୱକପ୍‌ରେ ମୋଟ ୬୪ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଜର୍ମାନୀ-କୋଷ୍ଟାରିକା ୪୪ତମ ମ୍ୟାଚ ପାଇଁ ସମସ୍ତ ମହିଳା ରେଫରିଙ୍କୁ ନିଯୁକ୍ତ କରି ଫିଫା ଐତିହାସିକ ନିଷ୍ପତ୍ତି ନେଇଛି। ଫ୍ରାପାର୍ଟ ପୂର୍ବରୁ ୪ର୍ଥ ଅଫିସିଆଲ ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ୟୁରୋପିଆନ ଫୁଟବଲର ସର୍ବୋଚ୍ଚ ସଂସ୍ଥା ୟୁଫା ଏବଂ ଫ୍ରାନ୍ସ ପକ୍ଷରୁ ୩୮ ବର୍ଷୀୟା ଫ୍ରାପାର୍ଟଙ୍କୁ ପୁରୁଷ ଫୁଟବଲ ମ୍ୟାଚ ପାଇଁ ପ୍ରମୋଟ କରାଯାଇଥିଲା। ପୂର୍ବରୁ ସେ ବିଶ୍ୱକପ୍‌ କ୍ୱାଲିଫାଇଂ, ଚାମ୍ପିୟନ୍ସ ଲିଗ୍‌ ଏବଂ ଚଳିତ ବର୍ଷର ଫ୍ରେଞ୍ଚ୍‌କପ୍‌ ଫାଇନାଲ ପୁରୁଷ ଗେମ୍‌ରେ ରେଫରି ଥିଲେ। ସେ ୨୦୧୯ ମହିଳା ବିଶ୍ୱକପ୍‌ ଫାଇନାଲରେ ମଧ୍ୟ ରେଫରି ଦାୟିତ୍ୱରେ ଥିଲେ।

Share