Categories: ମେଟ୍ରୋ

ଜମି ଆଳରେ ୭୧ ଲକ୍ଷ ଠକେଇ ମାମଲା: ଜଣେ ଗିରଫ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ରାଜଧାନୀରେ ଜମି ଯୋଗାଇ ଦେବାକୁ କହି ୭୧ ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ଅଭିଯୁକ୍ତଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେ ହେଲେ ପୁରୀ ଜିଲା ବଳିଆପଣ୍ଡା ଅଞ୍ଚଳର ଜୟକୃଷ୍ଣ ପଟ୍ଟନାୟକ। ପୋଲିସ ସୂଚନାମୁତାବକ, ପୁରୀର ହୋଟେଲ ବ୍ୟବସାୟୀ ଅମୀୟ ପଟ୍ଟନାୟକ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ହୋଟେଲ ଖୋଲିବା ପାଇଁ ଜାଗା ଖୋଜୁଥିଲେ। ଅଭିଯୁକ୍ତ ଜୟକୃଷ୍ଣ ଓ ତାଙ୍କର ଜଣେ ସହଯୋଗୀ ଉକ୍ତ ଅଞ୍ଚଳରେ ଜମି ଦେବାକୁ କହି ୨୦୧୦ରେ ୭୧ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଜମି ଦେଇ ନ ଥିଲେ। ଅମୀୟ ଟଙ୍କା ଫେରାଇବାକୁ କହିବାରୁ ରାଜନୈତିକ ଚାପ ପକାଇ ଧମକ ଚମକ ଦେଇଥିଲେ। ଏ ନେଇ ୨୦୧୯ରେ ଅମୀୟଙ୍କ ଅଭିଯୋଗକ୍ରମେ ପୋଲିସ ୭୫/୧୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଦୁଇ ଅଭିଯୁକ୍ତ ଥାନାକୁ ଆସି ୪୦ ଲକ୍ଷ ଟଙ୍କା ଫେରାଇବା ସହ ବାକି ଟଙ୍କା ପାଇଁ ସମୟ ନେଇଥିଲେ। ମାତ୍ର ସେମାନେ ଆଉ ଧରାଛୁଆଁ ଦେଇ ନ ଥିଲେ କି ଟଙ୍କା ଫେରାଇ ନ ଥିଲେ। ରବିବାର ପୋଲିସ ରୁପାଲି ଛକ ଅଞ୍ଚଳରୁ ଜୟକୃଷ୍ଣଙ୍କୁ ଗିରଫ କରିଥିଲା।

 

 

Share