ବ୍ରହ୍ମପୁର ଅଫିସ,୩୦ା୧୦: ବ୍ରହ୍ମପୁର ବଡବଜାର ଥାନା ଅଧୀନ ପାଣିଗ୍ରାହୀ ପେଣ୍ଠ ଅଞ୍ଚଳର ପିଙ୍କି ଲେଙ୍କାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦିଲୀପ କୁମାର ଲେଙ୍କା ଏକ ଫାଇନାନ୍ସ କମ୍ପାନୀରେ ୪ର୍ଥ ଶ୍ରେଣୀ କର୍ମଚାରୀ ଚାକିରି କରାଇ ଦେବାକୁ କହି ଫଟୋ, ଭୋଟର ପରିଚୟପତ୍ର, ଆଧାରକାର୍ଡ ଏବଂ ବ୍ୟାଙ୍କ ଜମାଖାତାର ଜେରକ୍ସ କପି ନେଇଥିଲେ। ଏଥିସହ କୌଣସି ଏକ ଫର୍ମରେ ମହିଳାଙ୍କ ଦସ୍ତଖତ ମଧ୍ୟ କରାଇ ନେଇଥିଲେ। ପରେ ସେସବୁ ନଥିପତ୍ରର ଅସଦ୍ ବ୍ୟବହାର କରି ମହିଳାଙ୍କ ନାଁରେ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀରୁ ୫୩ ହଜାର ଟଙ୍କାର ଋଣରେ ଘରକରଣା ସାମଗ୍ରୀ କିଣି ନେଇଥିବା ସମ୍ପର୍କରେ ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ମହିଳା ଜଣକ ଇଂଲିଶ ଭାଷା ଭଲ ଭାବେ ପଢି ନ ପାରିବାର ଫାଇଦା ଉଠାଇ ତାଙ୍କ ସମ୍ପର୍କୀୟ ଭାଇ ଏଭଳି ଠକାମି କରିଥିବା ବେଳେ ଉକ୍ତ ଫାଇନାନ୍ସ କମ୍ପାନୀ ଏବେ ମହିଳାଙ୍କୁ ଋଣ ଟଙ୍କା ଫେରାଇବା ପାଇଁ ବାରମ୍ବାର ନୋଟିସ୍ ପଠାଉଛି। ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ. ୨୮୫/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।