ନବରଙ୍ଗପୁର,୩୦ା୫(ବି.ପ୍ର.): ଚାକିରି ଓ ବ୍ୟାଙ୍କ ଲୋନ କରାଇଦେବା ନାଁରେ ଜଣେ ଯୁବକ ଶତାଧିକ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ରବିବାର ନବରଙ୍ଗପୁର ଜିଲାର ଆସଙ୍ଗା, ନନ୍ଦାହାଣ୍ଡି, କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଛତ୍ରଲା ଗାଁର ୨୦ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ନବରଙ୍ଗପୁର ଥାନାଧିକାରୀ ତାରିକ୍ ଅହମ୍ମଦଙ୍କୁ ଭେଟି ଅଭିଯୋଗପତ୍ର ଦେଇଛନ୍ତି।
ଏତଲାନୁଯାୟୀ, ନବରଙ୍ଗପୁର ଥାନା ଅଧୀନ କୁସୁମୀ ଗାଁର ସୁନୀଲ ହରିଜନ ଚାକିରି କରାଇ ଦେବା ନାଁରେ ପିଲିକା ଗାଁର ଟୁନି ଷଡ଼ଙ୍ଗୀଙ୍କଠାରୁ ୭୩ ହଜାର, ଆସଙ୍ଗା ଗାଁର ଗୌର ଭାତରା ଓ ବିଦ୍ୟାଧର ମାଝିଙ୍କଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇଛନ୍ତି। ସେହିଭଳି ଗୁଡ଼ ତିଆରି ମେଶିନ ପାଇଁ ବ୍ୟାଙ୍କ ଲୋନ କରାଇ ଦେବା ବାବଦକୁ ୫୩୦୦ ଟଙ୍କା ନେଇଥିବା ଅଭିଯୋଗକାରୀମାନେ କହିଛନ୍ତି। ଅଭିଯୁକ୍ତ ଗୋଟିଏ ପରିବାରର ୯ ଜଣଙ୍କଠାରୁ ୧ ଲକ୍ଷ ଟଙ୍କା ଲେଖାଏ ଲୋନ କରାଇ ଦେବାକୁ କହି ୧୨ ହଜାର ଟଙ୍କା ଲେଖାଏ ଆଦାୟ କରିଛନ୍ତି। ରତନା ମାଙ୍ଗଲି ବାଇକ ୧୫ ହଜାର ଟଙ୍କାରେ ବନ୍ଧା ପକାଇ ସୁନୀଲଙ୍କୁ ୧୨ ହଜାର ଟଙ୍କା ଦେଇଥିଲେ। ପଦ୍ମିନୀ ବିଶୋଇ, ସବିତା ହରିଜନ, ମଙ୍ଗୁରୁ ଭତରା, ଜଳଧର ଭତରା ଓ ଦୂତୀ ମାଙ୍ଗଲିଙ୍କଠାରୁ ଅଭିଯୁକ୍ତ ୧୦ ହଜାର ଟଙ୍କା ଲେଖାଏ ନେଇଛନ୍ତି। ଚାକିରି ଓ ବ୍ୟାଙ୍କ ଲୋନ୍ ନ ହେଲେ ୨ ମାସ ମଧ୍ୟରେ ନେଇଥିବା ଟଙ୍କା ଫେରସ୍ତ ପାଇଯିବେ ବୋଲି ସୁନୀଲ କହିଥିଲେ। କିନ୍ତୁ ଏହା ମଧ୍ୟରେ ଟଙ୍କା ଦେବାର ୬ମାସ ବିତିଯାଇଛି। ଏବେ ସୁଦ୍ଧା ଚାକିରି, ବ୍ୟାଙ୍କ ଲୋନ୍ ଓ ଟଙ୍କା ଏହାମଧ୍ୟରୁ କିଛି ବି ମିଳିନି ବୋଲି ଅଭିଯୋଗକାରୀମାନେ କହିଛନ୍ତି। ସୁନୀଲ ନବରଙ୍ଗପୁର ସହରର ୨୬ ନମ୍ବର ଜାତୀୟ ରାଜପଥ କଡରେ ଏକ ଭଡ଼ା ଘରେ ଏହି କାରବାର କରୁଥିଲେ। ସେ ପ୍ରାୟ ୧୫୦ରୁ ଅଧିକ ମହିଳା ପୁରୁଷଙ୍କଠାରୁ ଟଙ୍କା ନେଇଛନ୍ତି। ଏବେ ସେ ଭଡା ଘରେ ନାହାନ୍ତି ଓ ଫୋନ କଲେ ମଧ୍ୟ ଉଠାଉ ନାହାନ୍ତି ବୋଲି ଅଭିଯୋଗକାରୀମାନେ କହିଛନ୍ତି। ନବରଙ୍ଗପୁର ଥାନା ପୋଲିସ ୨୫୩/୨୨ରେ ମାମଲା ରୁଜୁ କରିଛି। ଥାନାଧିକାରୀ ଘଟଣାର ତଦନ୍ତ କରୁଛନ୍ତି।