ଧରାପଡ଼ିଲା ୨୪ ଲକ୍ଷ ଟଙ୍କାର ଜାଲିଆତି

ନୟାଗଡ,୩୦।୯(ଲୋକନାଥ ମିଶ୍ର): ବଳରାମ ପାହାଡ଼ର ନିଷ୍କାସିତ ପାଣିରେ ସୃଷ୍ଟ ନୟାଗଡ଼ ବ୍ଲ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଶିଆଳି ଖୋଲ ବନ୍ଧରେ ଆଡିବନ୍ଧ କରି ୨୪ଲକ୍ଷ ସରକାରୀ ଅନୁଦାନ ହଡପ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍‌ ଶୁକ୍ରବାର ସମ୍ପୃକ୍ତ ଆଡିବନ୍ଧକୁ ପରିଦର୍ଶନରେ ଯାଇ ଅନିୟମିତତା ଗୁମର ଖୋଲିଛନ୍ତି। ଆଡିବନ୍ଧର ମେଜେରେମେଣ୍ଟ ବୁକ୍‌ ଜିଲା ପରିଷଦ ସଭାପତି ଓ ସଭ୍ୟଙ୍କୁ ମୃତ୍ତିିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକଙ୍କ ସମେତ କର୍ମଚାରୀ ଦେଖେଇ ନ ପାରି ଅପଦସ୍ତ ହୋଇଥିଲେ। ଜିଲା ପରିଷଦ ପକ୍ଷରୁ ଏହାର ମେଜରମେଣ୍ଟ କରାଯିବା ପରେ ଦୁର୍ନୀତିର ବାସ୍ନା ଜଣାପଡିଛି। ଏହି ପ୍ରକଳ୍ପ ପାଇଁ ୨୪ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏଥିପାଇଁ ୨୪ ଲକ୍ଷ ୬୮ ହଜାର ୪୨୬ ଟଙ୍କା ବିଲ୍‌ ହୋଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ୨ ନଂ. ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ସରୋଜ ରଣସିଂହ, ଜିଲା ପରିଷଦର ୨ ନଂ. ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ୫ ନଂ. ସଦସ୍ୟ ରାମେଶ୍ୱର ଶତପଥୀ, ୭ନଂ. ସଦସ୍ୟ ବିଷ୍ଣପ୍ରିୟା ବେହେରା, ୧୧ ନଂ. ସଦସ୍ୟ ବସନ୍ତ ପ୍ରଧାନ, ୧୨ ନଂ . ସଦସ୍ୟ ସୁବାସ ଚନ୍ଦ୍ର କଅଁର, ୧୩ ନଂ. ସଦସ୍ୟ କ୍ଷୀରୋଦ ମହାପାତ୍ର, ୧୪ ନଂ. ସଦସ୍ୟ ଆଶିଷ ଅଗ୍ରୱାଲ, ୧୭ନଂ. ସଦସ୍ୟ ପ୍ରତିମା ଦଳବେହେରା, ୨୦ ନଂ. ବିଜୟ ସାମନ୍ତରାୟ ପରିଦର୍ଶନରେ ସାମିଲ ଥିଲେ। ଏ ନେଇ ଜିଲା ପରିଷଦ ସଦସ୍ୟ ରାମେଶ୍ୱର ଶତପଥୀ କହିଛନ୍ତି, ଆଡିବନ୍ଧର ମେଜେରେମେଣ୍ଟ ବୁକ୍‌ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଦେଇ ପାରିଲେ ନାହିଁ। ପ୍ରକଳ୍ପରେ କ’ଣ ଖର୍ଚ୍ଚ କେତେ ଅନୁଦାନ ଜଣାପଡୁନି। ମୃତ୍ତିକା ସଂରକ୍ଷଣ ବିଭାଗ ଜିଲା ପରିଷଦ ଟିମ୍‌କୁ ଅସହଯୋଗ କଲେ। ଜିଲା ପରିଷଦ ଟିମ୍‌ ଦୁର୍ନୀତିର ବାସ୍ନା ପାଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ। ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଆଡିବନ୍ଧର ମେଜେରେମେଣ୍ଟ ବୁକ୍‌ ନ ଦେଇ ମୃତ୍ତିକା ସଂରକ୍ଷଣ ବିଭାଗ ସନ୍ଦେହ ଘେରକୁ ଆସିଛି। ଆମ ପକ୍ଷରୁ ମେଜେରମେଣ୍ଟ ଚାଲିଛି। ଭଲ ପ୍ରକଳ୍ପରେ ଯେଉଁ ସରକାରୀ ଅର୍ଥ ବିନିଯୋଗ ହୋଇଛି ଠିକ୍‌ ଭାବେ କରାଯାଇ ନ ଥିବା ଜଣାପଡିଛି। ଆମେ ଏହାର ଅନୁଧ୍ୟାନ କରୁଛୁ। ପରେ ଏ ଦିଗରେ ପଦକ୍ଷେପ ନେବୁ ।
ଲକ୍ଷ୍ମୀପ୍ରସାଦ ନାଳରେ ଦୁର୍ନୀତି
ଲକ୍ଷ୍ମୀପ୍ରସାଦ ଗାଁଠାରୁ ବରପଲ୍ଲୀ ଦେଇ ପ୍ରବାହିତ ଲକ୍ଷ୍ମୀପ୍ରସାଦ ନାଳରେ ୪ ଲକ୍ଷ ଟଙ୍କା ଆନିକଟ ନିର୍ମାଣରେ ଖର୍ଚ୍ଚ ହୋଇଛି। ଆନିକଟ କାର୍ଯ୍ୟ ନିମ୍ନମାନର କରି ସରକାରୀ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ରହିଛି। ନିର୍ମାଣ ଅନିକଟ ଚାଷୀଙ୍କ କାର୍ଯ୍ୟରେ ଲାଗିବ ନାହିଁ ବୋଲି ଚାଷୀ ଅଭିଯୋଗ କରି ଆସୁଛନ୍ତି। ଜିଲା ପରିଷଦ ଟିମ୍‌ ଏହାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି।

Share