ଯୁକ୍ତ୨ ପାସ୍‌ କରାଇବା ନାଁରେ ଟଙ୍କା ଠକେଇ

ବାଲେଶ୍ୱର ଅଫିସ, ୧୪ା୩:ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମାର୍କ ବଢ଼ାଇବା ଓ ପାସ୍‌ କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଲକ୍ଷ ଟଙ୍କା ଲୁଟୁଥିବା ବାଲେଶ୍ୱର ସଦର ଥାନା ଖାନ୍‌ନଗର ଅଞ୍ଚଳର ପ୍ରଦୀପ ଦାସ ନାମକ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେ ନିଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ କର୍ମଚାରୀ ପରିଚୟ ଦେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ ବୋଲି ସୋମବାର ଏସ୍‌ପି ଅଫିସ୍‌ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି। ଏନେଇ ଶିଳ୍ପାଞ୍ଚଳ ଥାନାରେ ଏକ ଠକେଇ ମାମଲା (ନଂ. ୪୫/୨୩) ରୁଜୁ କରାଯାଇଛି। ପ୍ରଦୀପଙ୍କଠାରୁ ନଗଦ ୫୭ ହଜାର ଟଙ୍କା, ୯ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଏକ ଦାମୀ କାର୍‌ ସହ ବ୍ୟାଙ୍କ ଏଟିଏମ୍‌ କାର୍ଡ ଜବତ କରାଯାଇଛି। ଛାତ୍ରୀଛାତ୍ରଙ୍କ ଟଙ୍କାରେ ପ୍ରଦୀପ ଅୟସ କରୁଥିବା ଜଣାପଡିଛି।
ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ସମେତ ବିଭିନ୍ନ ଜିଲାର ୩୦୦ରୁ ଅଧିକ ଛାତ୍ରୀଛାତ୍ର ଏଭଳି ମିଥ୍ୟ ପ୍ରତିଶ୍ରୁତିର ଶିକାର ହୋଇଛନ୍ତି। ସେ କାହା ପାଖରୁ ହଜାରେ ତ କାହା ପାଖରୁ ୫ହଜାର, ଏମିତିକି ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲେ। ଯେଉଁମାନେ ଡିଲ୍‌ କରି ସମ୍ପୂର୍ଣ୍ଣ ଟଙ୍କା ଦେଉ ନ ଥିଲେ ସେମାନଙ୍କ ଭବିଷ୍ୟତ ନଷ୍ଟ କରିଦେବାର ଧମକ ମଧ୍ୟ ଦେଉଥିଲେ। ଘଟଣାକ୍ରମରେ ପ୍ରଦୀପ ରବିବାର ସନ୍ଧ୍ୟା ସମୟରେ କେତେକ ଯୁକ୍ତ ୨ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ପୋଲିସ ଲାଇନ୍‌ ଛକସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟକୁ ଡାକିଥିଲେ। କୌଣସି ସୂତ୍ରରୁ ଛାତ୍ରୀଛାତ୍ର ଓ ଅଭିଭାବକ ପ୍ରଦୀପ ଜଣେ ଦଲାଲ ବୋଲି ଜାଣିପାରି ପୋଲିସକୁ ଖବର ଦେଇଥିଲେ। ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ଚତ୍ ପ୍ରଦୀପଙ୍କୁ ଥାନାକୁ ଆଣିଥିଲେ। ଛାତ୍ରୀଛାତ୍ରଙ୍କ ଟଙ୍କାରେ ସେ ଦାମୀ ଘଣ୍ଟା, ସୁନାଚେନ୍‌, ସୁନା ବ୍ରେସଲେଟ୍‌, ଦାମୀ କାର୍‌ ବ୍ୟବହାର କରୁଥିବା ସେଠାରେ ପୋଲିସ ଜାଣିବାକୁ ପାଇଥିଲା। ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ତଦନ୍ତ ଜାରି ରହିଥିବା ଜିଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ଶଶାଙ୍କ ଶେଖର ବେହେରା ଓ ଶିଳ୍ପାଞ୍ଚଳ ଥାନା ଅଧିକାରୀ ସାଲଖାନ ମୁର୍ମୁ ଉପସ୍ଥିତ ଥିଲେ।