Categories: ମେଟ୍ରୋ

ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରୀଛାତ୍ରଙ୍କୁ ଠକେଇ

ଭୁବନେଶ୍ୱର,୧୬।୯ (ସତ୍ୟଜିତ୍‌ ରାଉତ): ୟୁକ୍ରେନ୍‌ ଫେରନ୍ତା ମେଡିକାଲ୍‌ ଛାତ୍ରୀଛାତ୍ରଙ୍କୁ ଠକେଇ ଅଭିଯୋଗରେ ଶହୀଦନଗର ଥାନା ପୋଲିସ ଭୁବନେଶ୍ୱରସ୍ଥିତ ‘ଗ୍ଲୋବାଲ୍‌ ଫୋକସ୍‌ ଏଜୁକେଶନ୍‌ ପ୍ରାଇଭେଟ୍‌ ଲିଃ’ର ପୂର୍ବତନ ନିର୍ଦ୍ଦେଶକଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ ରଙ୍ଗବଜାରରେ ରହୁଥିବା ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳର ସ୍ବାଧୀନ ମହାପାତ୍ର (୩୧)। ଅଭିଯୁକ୍ତ ସ୍ବାଧୀନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଶହୀଦନଗର ଭୋଇ ନଗରରେ ଗ୍ଲୋବାଲ୍‌ ଫୋକସ୍‌ ଏଜୁକେଶନ୍‌ ସଂସ୍ଥାର ଅଫିସ ରହିଛି। ଏହି ସଂସ୍ଥା ଗତ ୫ବର୍ଷ ହେଲା ବିଦେଶୀ ଏଜୁକେଶନ୍‌ କନ୍‌ସଲ୍‌ଟାଣ୍ଟ୍‌ ଭାବେ କାର୍ଯ୍ୟ କରୁଛି। ସଂସ୍ଥା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏମ୍‌ବିବିଏସ୍‌, ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଣ୍ଟ୍‌ ପଢ଼ିବାକୁ ଛାତ୍ରୀଛାତ୍ରଙ୍କୁ ସହଯୋଗ କରିଥାଏ। ଅଭିଯୁକ୍ତ ସ୍ବାଧୀନ ୨୦୧୯ ଏପ୍ରିଲ୍‌ ୨୯ରୁ ଚଳିତବର୍ଷ ଫେବୃୟାରୀ ୨୧ ପର୍ଯ୍ୟନ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବାବେଳେ ଉକ୍ତ ସଂସ୍ଥା ସହାୟତାରେ ୟୁକ୍ରେନ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ସ୍ବାଧୀନ ଠକିଥିବା ଅଭିଯୋଗ ହୋଇଥିଲା। ୟୁକ୍ରେନ୍‌-ରୁଷିୟା ଯୁଦ୍ଧ ସମୟରେ ୟୁକ୍ରେନ୍‌ ବିଶ୍ୱ ବିଦ୍ୟାଳୟରୁ ମେଡିକାଲ ପାଠ ଅଧାରୁ ଛାଡ଼ି ଓଡ଼ିଶା ଫେରି ଆସିଥିବା ୬୫ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଟିସି (ଟ୍ରାନ୍ସକ୍ରିପ୍ଟସ୍‌ ଏଣ୍ଡ୍‌ ସାର୍ଟିଫିକେଟ୍‌ସ) ସେଠାରୁ ନେଇ ଆସିବାକୁ କହି ସ୍ବାଧୀନ ଫସାଇଥିଲେ। ୨୦୨୨ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ୬୫ ଛାତ୍ରୀଛାତ୍ରଙ୍କୁଠାରୁ କମ୍ପାନୀକୁ ନ ଜଣାଇ ସ୍ବାଧୀନ ଏଥିପାଇଁ ମୋଟ ୪୩ ଲକ୍ଷ ୭୨ ହଜାର ୧୫ ଟଙ୍କା ନେଇଥିଲେ। ସ୍ବାଧୀନ ତାଙ୍କ ମା’ଙ୍କ ଆକାଉଣ୍ଟ ଜରିଆରେ ଏସବୁ ଟଙ୍କା ଗ୍ରହଣ କରିଥିଲେ। ତେବେ ଟଙ୍କା ନେବା ପରେ ସେ ଛାତ୍ରୀଛାତ୍ରଙ୍କୁ ଟିସି ଆଣିବାର ବାହାନା ଦେଖାଇ ଦିନ ଗଡ଼ାଇ ଚାଲିଥିଲେ। ଟଙ୍କା ଦେଇଥିବା ଛାତ୍ରୀଛାତ୍ର ଏନେଇ କମ୍ପାନୀରେ ଅଭିଯୋଗ କରିଥିଲେ। ବିବାଦ ପରେ ସ୍ବାଧୀନ ଉକ୍ତ କମ୍ପାନୀ ଛାଡ଼ି ଦେଇଥିଲେ। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ମିର୍ଜା ଅବଦୁଲ୍‌ ଜାହିର୍‌ ବାଗ୍‌ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ସେପ୍ଟେମ୍ବର ୯ରେ ଏକ ମାମଲା (ନଂ.୩୩୨/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Share